କଂଗ୍ରେସ ସିଂହରୁ କେମିତି ସ୍ୱତନ୍ତ୍ର ଦେବ ସିଂହ ହେଲେ ଏହି ବରିଷ୍ଠ ବିଜେପି ନେତା

ଲକ୍ଷ୍ନୌ: ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ତଥା ଯୋଗୀ ସରକାର ୨.୦ରେ ମନ୍ତ୍ରୀ ଥିବା ସ୍ୱତନ୍ତ୍ର ଦେବ ସିଂହଙ୍କ ସମ୍ପର୍କରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶରେ ବିଜେପି ଚଳିତ ବର୍ଷ ରେକର୍ଡ ବିଜୟ ହାସଲ କରିବା ପରେ ସ୍ୱତନ୍ତ୍ର ଦେବ ସିଂହଙ୍କ ନାଁ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ସ୍ୱତନ୍ତ୍ର ଦେବ ସିଂହ ଏହି ବରିଷ୍ଠ ରାଜନେତାଙ୍କ ପ୍ରକୃତ ନାଁ ନଥିଲା। ସେ ବିଜେପିରେ ମିଶିବା ପରେ ନିଜ ନାଁ ପରିବର୍ତ୍ତନ କରିଛନ୍ତି। ସ୍ୱତନ୍ତ୍ର ଦେବଙ୍କ ପ୍ରକୃତ ନାଁ କଂଗ୍ରେସ ସିଂହ ଥିଲା। ୧୯୬୪ ମସିହା ଫେବୃଆରୀ ୧୩ ତାରିଖରେ ସେ ମିର୍ଜାପୁରର ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ।

ଏହି ସମୟରେ ତାଙ୍କ ନାଁ ବାପା ମା’ଙ୍କ ଦ୍ୱାରା କଂଗ୍ରେସ ସିଂହ ରଖାଯାଇଥିଲା। ହେଲେ ବିଜେପିରେ ମିଶିବା ପରେ ସେ ଏହାକୁ ପରିବର୍ତ୍ତନ କରି ସ୍ୱତନ୍ତ୍ର ଦେବ ସିଂହ କରିଛନ୍ତି। ଏହା ପଛରେ ଆରଏସଏସ୍‌ର ଭୂମିକା ମଧ୍ୟ ରହିଛି।

ହାଇସ୍କୁଲ ଶିକ୍ଷା ପରେ ସେ ଡିଏଭି କଲେଜରେ ଯୋଗଦେଇଥିଲେ। ଏହି ସମୟରେ ସେ ଏବିଭିପି ସଂସ୍ପର୍ଶରେ ଆସି ରାଜନୀତି ଆଡ଼କୁ ମନବଳାଇଥିଲେ। ଏବିଭିପି ପାଇଁ କାମ କରିବା ବେଳେ ସେ ଆରଏସଏସର ପ୍ରଚାରକ ହୋଇଥିଲେ। ଏସବୁ ଭିତରେ ସେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ। ପ୍ରାଥମିକ ଅବସ୍ଥାରେ ସେ ସ୍ୱତନ୍ତ୍ର ଭାରତ ନାମକ ଗୋଟିଏ ହିନ୍ଦୀ ଦୈନିକରେ କାମ ଆରମ୍ଭ କରିଥିଲେ।

ଉକ୍ତ ଖବରକାଗଜ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ୧୯୮୯ରେ ଶ୍ରୀ ସିଂହ ସାମ୍ବାଦିକତା କରୁଥିବା ବେଳେ ରାମ ମନ୍ଦିର ଆନ୍ଦୋଳନ ତୀବ୍ର ହୋଇଥିଲା। ଏହି ସମୟରେ ସେ ବିନୟ କଟାରିୟାଙ୍କ ଗୋଟିଏ ସାକ୍ଷାତକାର ନେଇଥିଲେ। ଏହା ସ୍ୱତନ୍ତ୍ର ଭାରତ ଖବର କାଗଜରେ ପ୍ରକାଶ ପାଇଥିଲା। ଏହା ଦେଖି କଟାରିୟା ବେଶ ଖୁସି ହୋଇଥିଲେ ଏବଂ ଶ୍ରୀ ସିଂହଙ୍କୁ ରାଜନୀତିକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହାପରେ ସେ ସାମ୍ବାଦିକରୁ ବନିଥିଲେ ବିଜେପି ନେତା। ସେ ବିଜେପିରେ ମିଶିବା ପରେ ତାଙ୍କ ନାଁ କଂଗ୍ରେସ ଥିବାରୁ ଏହା ଆରଏସଏସ୍‌କୁ ସାମାନ୍ୟ ଅଜବ ଲାଗିଥିଲା। ତେଣୁ ଆରଏସଏସ୍‌ ପକ୍ଷରୁ ଶ୍ରୀ ସିଂହଙ୍କୁ ନୂଆ ନାଁ ବାଛିବାକୁ କୁହାଯାଇଥିଲା। ଯେହେତୁ ସେ ସ୍ୱତନ୍ତ୍ର ଭାରତ ଖବରକାଗଜରେ କାମ କରୁଥିଲେ, ତେଣୁ ଏହାକୁ ଆଧାର କରି ତାଙ୍କ ନାଁ ସ୍ୱତନ୍ତ୍ର ଦେବ ସିଂହ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ଶେଷରେ ସେ କଂଗ୍ରେସ ସିଂହରୁ ସ୍ୱତନ୍ତ୍ର ଦେବ ସିଂହରେ ପରିଣତ ହୋଇଥିଲେ। ୧୯୯୨ରୁ ସେ ସାମ୍ବାଦିକତା ଛାଡ଼ି ବିଜେପି ପାଇଁ କାମ କରି ଆସୁଛନ୍ତି।

୨୦୧୭ ଭଳି ୨୦୨୨ରେ ମଧ୍ୟ ସ୍ୱତନ୍ତ୍ର ଦେବ ସିଂହ ଉତ୍ତର ପ୍ରଦେଶର ମନ୍ତ୍ରୀ ହୋଇଇଛନ୍ତି। ଏହାପୂର୍ବରୁ ସେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ କାମ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।