କାହିଁକି ଆମ ପର୍ବପର୍ବାଣୀରେ ହିଂସା ସୃଷ୍ଟି ହେଉଛି: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

ଭୋପାଲ: ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ହିନ୍ଦୁ ଓ ମୁସଲିମ ପର୍ବପର୍ବାଣୀର ପାର୍ଥକ୍ୟ ଦର୍ଶାଇଛନ୍ତି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା। ନିକଟରେ ରାମ ନବମୀ ବେଳେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଇଥିଲା। ଦୁଇ ସଂପ୍ରଦାୟର ଲୋକ ପରସ୍ପରକୁ ଆକ୍ରମଣ କରିବାରୁ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଦେଖିବାକୁ ମିଳିଥିଲା।

ଏବେ କେବଳ ଆମ (ହିନ୍ଦୁ)ପର୍ବରେ କାହିଁକି ହିଂସାକାଣ୍ଡ ଦେଖାଯାଉଛି ବୋଲି ପ୍ରଶ୍ନ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ରା। ରାମ ନବମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଇଥିଲା। ଏହାକୁ ନେଇ ରାଜନୀତିକ ବୟାନବାଜୀ ଓ ସାଂପ୍ରଦିୟକ ବିଭେଦତା କଥା ମଧ୍ୟ ଆରମ୍ଭ ହୋଇଥିଲା।

ବିଜେପି ରାମ ନବମୀ ଭଳି ପର୍ବପର୍ବାଣୀ ସମୟରେ ଜାଣିଶୁଣି ସାଂପ୍ରଦାୟକ ହିଂସା ସୃଷ୍ଟି କରୁଛି ବୋଲି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଅଭିଯୋଗ କରିଥିଲେ। ଏହାର ଜବାବରେ ନରତ୍ତୋମ ମିଶ୍ରା କହିଛନ୍ତି, “ରାମ ନବମୀ ବର୍ଷକୁ ଥରେ ପାଳିତ ହୁଏ। କିନ୍ତୁ ଚଳିତ ବର୍ଷ ଦେଶର ୧୨ରୁ ଅଧିକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ରାମ ନବମୀରେ ଆମୀଷ ଖାଇବାକୁ ନେଇ ଜେଏନୟୁରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ସବୁ ହିଂସାକାଣ୍ଡ କେବଳ ଆମ ପର୍ବପର୍ବାଣୀରେ ଘଟୁଛି। ସେମାନଙ୍କ ପର୍ବରେ କାହିଁକି ଏମିତି ଘଟୁନି? ଏହା କ’ଣ ଭୁଲ କଥା?”

ହିଂସା ପରେ ସୋମବାର ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ ସରକାର ଦଙ୍ଗାକାରୀଙ୍କ ସମ୍ପତ୍ତିରେ ବୁଲଡୋଜର ଚାଲିବ ବୋଲି କହିଥିଲେ। ସତକୁ ସତ କିଛି ଅଭିଯୁକ୍ତଙ୍କ ଘରେ ବୁଲଡୋଜର ମଧ୍ୟ ଚାଲିଛି। ଏହାକୁ ଶ୍ରୀ ମିଶ୍ରା ଠିକ୍ ବୋଲି କହିଛନ୍ତି। ସେ କହିଛନ୍ତି, “ଦଙ୍ଗାକାରୀମାନେ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଅଛି। କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ, ଶାନ୍ତି ଫେରିବନି।”

ବିଭିନ୍ନ ରାଜ୍ୟରେ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ଶକ୍ତିପ୍ରଦର୍ଶନ ପାଇଁ ରାମ ନବମୀ ଭଳି ପର୍ବରେ ଶୋଭାଯାତ୍ରା କରୁଛନ୍ତି ବୋଲି ପ୍ରଶ୍ନରେ ସେ କହିଛନ୍ତି, “କ’ଣ ଆପଣ ରାମ ନବମୀ ଶୋଭାଯାତ୍ରାରେ କୌଣସି ରାଜନୀତିକ ଦଳର ପତାକା ଦେଖିଥିଲେ। ବିଜେପି କିମ୍ବା କଂଗ୍ରେସର ପତାକା ଧରି କେହି ରାମ ନବମୀ ଶୋଭାଯାତ୍ରାରେ ଯାଇଥିଲେ? ତା’ହେଲେ ଏହା କେମିତି ରାଜନୀତିକ ଶୋଭାଯାତ୍ରା ହେଲା? ଯେ କେହି ବି ଅପରାଧ କରିବ, ସେ ଦଣ୍ଡିତ ହେବ। ତେଣୁ ଏଠାରେ ହିନ୍ଦୁ ଓ ମୁସଲିମ କଥା ପଡ଼ିନି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।