ସ୍ୱାମୀ ଦିନେ ମହିଳା ଥିଲେ, ବାହାଘରର ୮ ବର୍ଷ ପରେ ଜାଣିଲେ ସ୍ତ୍ରୀ

ନୂଆଦିଲ୍ଲୀ: ବାହାଘରର ଦୀର୍ଘ ୮ ବର୍ଷ ପରେ ସତ କଥା ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଗୁଜରାଟର ଭଦୋଦରାରେ ରହୁଥିବା ଜଣେ ୪୪ ବର୍ଷୀୟ ମହିଳା। ସେ ୮ ବର୍ଷ ତଳେ ଯାହାକୁ ବିବାହ କରିଥିଲେ ବାସ୍ତବରେ ସେ ପୂର୍ବରୁ ଜଣେ ମହିଳା ଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ସେ ଅସ୍ତ୍ରୋପଚାର କରି ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି।

ଏକଥା ଜାଣିବା ପରେ ମହିଳା ଜଣଙ୍କ ଗୋତ୍ରୀ ପୁଲିସ୍‌ ଷ୍ଟେସନରେ ସ୍ୱାମୀ ବିରାଜ ବର୍ଦ୍ଧନଙ୍କ ନାଁରେ ଏଫଆଇଆର କରିଛନ୍ତି। ପୂର୍ବରୁ ବିରାଜ ବିଜୟତା ନାଁରେ ପରିଚିତ ଥିଲେ। ମହିଳା ଜଣଙ୍କ ବିରାଜଙ୍କ ନାଁରେ ଅପ୍ରାକୃତିକ ଯୌନ ସମ୍ପର୍କ ଓ ଠକେଇ ଅଭିଯୋଗ ଆଣିଛନ୍ତି। ଏଫଆଇଆର୍‌ରେ ସେ ବିରାଜଙ୍କ ପରିବାର ଲୋକଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୯ ବର୍ଷ ତଳେ ଗୋଟିଏ ମ୍ୟାଟ୍ରିମୋନିଆଲ ସାଇଟ୍‌ ଦ୍ୱାରା ବିରାଜଙ୍କ ସହ ପରିଚିତ ହୋଇଥିଲେ। ମହିଳାଙ୍କ ସ୍ୱାମୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କର ଗୋଟିଏ ୧୪ ବର୍ଷୀୟ ଝିଅ ରହିଛନ୍ତି। ତଥାପି ବିରାଜ ତାଙ୍କୁ ୨୦୧୪ରେ ବିବାହ କରିଥିଲେ। ବାହାଘର ପରେ ଉଭୟ ହନିମୁନ ପାଇଁ କଶ୍ମୀର ଯାଇଥିଲେ।

ହେଲେ ବିରାଜ କୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖୁ ନଥିଲେ ଓ ସବୁବେଳେ ବିଭିନ୍ନ ପ୍ରକାରର ଆଳ ଦେଖାଇ ପତ୍ନୀଙ୍କୁ ବୁଝାଇ ଦେଉଥିଲେ। ଯେତେବେଳେ ମହିଳା ଜଣଙ୍କ ଚାପ ସୃଷ୍ଟି କଲେ ସେତେବେଳେ ବିରାଜ ରୁଷରେ କିଛି ବର୍ଷ ତଳେ ତାଙ୍କର ଗୋଟିଏ ଦୁର୍ଘଟଣା ହୋଇଥିଲା ଓ ଏଥିଯୋଗୁ ସେ ଯୌନ ସମ୍ପର୍କ ରଖିବାକୁ ଅକ୍ଷମ ହୋଇଯାଇଥିବା କହିଥିଲେ। ତେବେ ଗୋଟିଏ ଛୋଟିଆ ଅପରେସନ ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମଧ୍ୟ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

୨୦୨୦ ଜାନୁଆରୀ ମାସରେ ବିରାଜ ଅପରେସନର ବାହାନା ଦେଖାଇ କୋଲକାତା ଯାଇଥିଲେ। ସେଠାରେ ନିଜର ଲିଙ୍ଗ ପରିବର୍ତ୍ତନ କରିବା ପରେ ପତ୍ନୀଙ୍କୁ ଜଣାଇଥିଲେ। ଅପରେସନ ପରେ ବିରାଜ ପତ୍ନୀଙ୍କ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖିବା ଆରମ୍ଭ କରିଦେଇ ଥିଲେ ଓ ଏକଥା କାହାକୁ କହିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ମଧ୍ୟ ଦେଇଥିଲେ।

ପୁଲିସ୍‌ ଏବେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଦିଲ୍ଲୀରେ ରହୁଥିବା ବିରାଜଙ୍କୁ ଭଦୋଦରା ଆଣି ପଚରାଉଚରା କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।