ନିର୍ବାଚନ ଜିତିବାକୁ ମାନସିକ ରଖିଥିଲେ, ଏବେ ଜିଭ କାଟି ଭଗବାନଙ୍କୁ ସମର୍ପଣ କଲେ

ଚେନ୍ନାଇ: ନିର୍ବାଚନରେ ନିଜ ପସନ୍ଦର ଦଳର ବିଜୟ ପାଇଁ ଜଣେ ମହିଳା ରଖିଥିବା ଅଜବ ମାନସିକକୁ ପୂରଣ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଯଦି ଡିଏମକେ ଜିତିବ, ତା’ହେଲେ ସେ ଜିଭ କାଟି ଏହାକୁ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ଏବେ ଡିଏମକେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବାରୁ ପ୍ରତିଜ୍ଞା ମୁତାବକ ମହିଳା ଜଣଙ୍କ  ତାମିଲନାଡୁର ଗୋଟିଏ ମନ୍ଦିର ଆଗରେ ଜିଭ କାଟି ଦେଇଛନ୍ତି। ଏହାକୁ ସେ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ ମଧ୍ୟ କରିଛନ୍ତି।

୩୨ ବର୍ଷୀୟ ବନିତାଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଡିଏମକେର ଜଣେ ଫ୍ୟାନ୍। ଦଳ ୧୦ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରହିଥିବାରୁ ସେ ବିଜୟ ପାଇଁ ଭଗବାନଙ୍କ ନିକଟରେ ମାନସିକ ରଖିଥିଲେ। ଭଗବାନ ୨୦୨୧ରେ ତାଙ୍କ ମନ କଥା ବୁଝି ଡିଏମକେକୁ ଜିତାଇଥିବାରୁ ସେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

ଡିଏମକେ ଜିତିବା ପରେ ବିନତା ମୁଥାଲାମନ ମନ୍ଦିରରେ ପହଞ୍ଚିଥିଲେ। ସେ ଏଠାରେ ଥିବା ଭଗବାନଙ୍କ ପ୍ରତିମୂର୍ତ୍ତି ଆଗରେ ସେ ଜିଭ କାଟି ଏହାକୁ ସମର୍ପଣ କରିବେ ବୋଲି ଚାହିଁଥିଲେ। ହେଲେ କରୋନା କଟକଣା ଯୋଗୁ ତାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା।

ଏହି କାରଣରୁ ସେ ମନ୍ଦିର ଦ୍ୱାର ପାଖରେ ଜିଭ କାଟିବା ସହ ଏହାକୁ ସେଠାରେ ଥୋଇ ଦେଇଥିଲେ। ଜିଭ କାଟିବାର କିଛି ସମୟ ପରେ ସେ ଉକ୍ତ ସ୍ଥାନରେ ହିଁ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାର ୨୩୪ଟି ଆସନରୁ ଡିଏମକେ ୧୫୭ଟିରେ ଜିତିଥିବା ବେଳେ କ୍ଷମତାସୀନ ଏଆଇଏଡିଏମକେ ୭୫ଟିରେ ବାଜିମାତ କରିଛି। ସରକାର ଗଠନ ପାଇଁ ଡିଏମକେ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିଥିବାରୁ ଆସନ୍ତା ୭ ତାରିଖରେ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।