କେହି ବି ଶୁଣିଲେନି ପୁଅର ଆକୁଳ ନିବେଦନ, ଅଟୋରେ ଚାଲିଗଲା ମା’ର ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ପ୍ରତିଦିନ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। କେଉଁଠି ହସ୍ପିଟାଲ ବେଡ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ଚିକିତ୍ସା ଅବହେଳାରୁ ରୋଗୀ ଆଖିବୁଜୁଛନ୍ତି। ଏହିକ୍ରମରେ ଦିଲ୍ଲୀର ଗୋଟିଏ କୋଭିଡ କେୟାର ସେଣ୍ଟର ବାହାରୁ ଆନ୍ଦୋଳିତ କରିବା ଭଳି ଖବର ଆସିଛି।

ଏହି କୋଭିଡ୍‌ ସେଣ୍ଟର୍‌ରେ ନିଜ ମା’ଙ୍କ ଚିକିତ୍ସା କରିବାକୁ ଆସିଥିବା ଜଣେ ପୁଅ ଅନେକ ଥର ଆକଳୁ ନିବେଦନ କରିଥିଲେ। ହେଲେ ତାଙ୍କ ନିବେଦନ କେହି ବି ଶୁଣି ନଥିଲେ। ଶେଷରେ ଅଟୋ ଭିତରେ ହିଁ ମା’ ସବୁଦିନ ପାଇଁ ପୁଅକୁ ଏକାକରି ଛାଡ଼ି ଚାଲି ଯାଇଥିଲେ।୨୮ ବର୍ଷୀୟ ମୁକୁଲ ବ୍ୟାସ ଆଜି ସକାଳେ ତାଙ୍କ ମା’ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ କେୟାର ସେଣ୍ଟରକୁ ଆଣିଥିଲେ।

ଦକ୍ଷିଣ ଦିଲ୍ଲୀରେ ଥିବା ଏହି ସେଣ୍ଟରକୁ ଆଇଟିବିପି ଯବାନମାନେ ପରିଚାଳନା କରୁଛନ୍ତି। ସେ ଅଟୋରେ ମା’ଙ୍କୁ ଧରି ଆସିଥିଲେ ହେଁ ଏହାର ଗେଟ୍‌ ଖୋଲି ନଥିଲା। ୩ ଘଣ୍ଟା ଧରି ସେହି ଅଟୋରେ ପଡ଼ି ରହି ଶେଷରେ ୫୨ ବର୍ଷୀୟ କିରଣ ବ୍ୟାସଙ୍କ ମୃତ୍ୟୁ ଘଟିଥିଲା। ମୁକୁଲଙ୍କ ଭାଇ ମା’ଙ୍କ ଛାତିକୁ ପମିଂ କରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳେକୁ ବହୁତ ଡେରି ହୋଇ ସାରିଥିଲା।

ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ମୁକୁଲ କହିଛନ୍ତି, “ସେମାନେ ମୋ ମା’କୁ ମାରିଦେଲେ। ମୁଁ ଏବେ ମୋ ମା’ଙ୍କୁ କୁଆଡ଼େ ନେବି? ମୁଁ ଏଠାରେ ଛିଡ଼ା ହୋଇ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କଲି। ସେମାନେ ମୋତେ କାଗଜପତ୍ର କାମ କରିବାକୁ କହିଥିଲେ। ତଥାପି ମୁଁ ସେମାନଙ୍କୁ ମୋ ମା’ର ଚିକିତ୍ସା ପାଇଁ ନିବେଦନ କରି ଚାଲିଥିଲି। ହେଲେ କେହି ସହଯୋଗ କଲେ ନାହିଁ। ଏବେ ମୋ ମା’ ମରିଗଲା। ସେମାନେ ମୋତେ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କ ଠାରୁ ଅନୁମତି ଆଣିବାକୁ କହିଥିଲେ। କିନ୍ତୁ ଯେତେବେଳେ ଜଣେ ମରିବାକୁ ବସିଛି, ଏହି ସମୟରେ କେମିତି ସେ ଏସବୁ କାମ କରିବ?”

କେବଳ ଏହି ସ୍ଥାନରେ ନୁହେଁ, ଦିଲ୍ଲୀର ବିଭିନ୍ନ କୋଭିଡ୍‌ ସେଣ୍ଟରରେ ରୋଗୀଙ୍କ ଦାରୁଣ ଚିତ୍ର ଦେଖିବାକୁ ମିଳୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।