ନିଶା ଦେଇ ୩୨ ବର୍ଷୀୟ ମହିଳାଙ୍କୁ ହୋଟେଲ ଭିତରେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ସାଂଘାତିକ ଅଭିଯୋଗ। ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ କିଛି ଲୋକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉତ୍ତରପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଥିବା ଗୋଟିଏ ହୋଟେଲରେ ଏପରି ଘଟଣା ଘଟିଛି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ରାଜସ୍ଥାନର ଅଲୱାରର ମୂଳବାସିନ୍ଦା ଅଜୟ, ତାରା ଚାନ୍ଦ ଓ ନରେଶଙ୍କୁ ଗିରଫ କରିଛି। ଏମାନେ ମହିଳାଙ୍କୁ ନିଶା ଦେଇ ହୋଟେଲର ଗୋଟିଏ ରୁମକୁ ନେଇଥିଲେ। ଏହାପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ।

ଡେପୁଟି କମିଶନର ଅଫ ପୁଲିସ (ଉତ୍ତରପଶ୍ଚିମ) ଉଷା ରାଗିଣୀ କହିଛନ୍ତି, ରବିବାର ଘଟଣା ସମ୍ପର୍କରେ ଗୋଟିଏ ପିସିଆର କଲ୍‌ ଆଦର୍ଶ ନଗର ପୁଲିସ୍‌ ଷ୍ଟେସନକୁ ଆସିଥିଲା। ପୀଡ଼ିତା ଜଣଙ୍କ ଅଭିଯୁକ୍ତ ଅଜୟ(୩୯)ଙ୍କୁ ଜାଣିଥିଲେ। ତାଙ୍କୁ ଦେଖା କରିବା ପାଇଁ ସେ ରବିବାର ସ୍ଥାନୀୟ ହୋଟେଲକୁ ଯାଇଥିଲେ। ମହିଳା ଜଣଙ୍କ ହୋଟେଲ ରୁମରେ ପହଞ୍ଚିଲା ବେଳେ ଅଜୟଙ୍କ ଦୁଇ ସାଙ୍ଗ ତାରା ଚାନ୍ଦ(୩୪) ଓ ନରେଶ(୩୮) ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସେମାନେ ପ୍ରଥମେ ମହିଳାଙ୍କୁ କିଛି ଥଣ୍ଡା ପାନୀୟ ଦେଇଥିଲେ। କିନ୍ତୁ ଏଥିରେ ସେମାନେ ନିଶା ମିଶାଇ ଦେଇଥିବାରୁ ମହିଳା ଜଣଙ୍କ ଚେତା ହରାଇଥିଲେ। ସେ ଅଚେତ ହୋଇଯାଇବା ବେଳେ ଏହାର ଫାଇଦା ନେଇ ଅଜୟ, ତାରା ଓ ନରେଶ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କ ବୟାନ ଓ ମେଡିକାଲ ରିପୋର୍ଟକୁ ଆଧାର କରି ୩୭୬ ଘ(ଗଣଦୁଷ୍କର୍ମ) ୩୭୭ ଓ ୩୨୮ ଧାରାରେ ଗୋଟିଏ ମାମଲା ଆଦର୍ଶ ନଗର ପୁଲିସ୍‌ ଷ୍ଟେସନରେ ରୁଜୁ କରାଯାଇଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।