ଦାଢ଼ି କଟା ବ୍ଲେଡରେ ପ୍ରସବ କରାଇଲେ ସ୍କୁଲ ଡ୍ରପ ଆଉଟ, ମା’ ଓ ନବାଜତ ମୃତ

ଲକ୍ଷ୍ନୌ: ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ମାତ୍ର ୮ମ ଯାଏ ସ୍କୁଲ ଯାଇଥିବା ଜଣେ ଯୁବକ ଦାଢ଼ି କାଟିବା ବ୍ଲେଡ୍‌ରେ ଜଣେ ଗର୍ଭବତୀଙ୍କ ସଜରିଆନ ଜରିଆରେ ପ୍ରସବ କରାଇଛନ୍ତି। ଏହି ଅସାବଧାନତା ଯୋଗୁ ଶେଷରେ ମହିଳା ଓ ତାଙ୍କ ନବଜାତ ପ୍ରାଣ ହରାଇଛନ୍ତି।

ଅଧିକ ରକ୍ତଶ୍ରାବ ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ଗୋଟିଏ ଗାଁରେ ସ୍କୁଲ ଡ୍ରପ ଆଉଟ ଜଣଙ୍କ ଦୀର୍ଘଦିନ ହେଲା କ୍ଲିନକରେ ଲୋକଙ୍କ ଚିକିତ୍ସା କରୁଥିଲେ ହେଁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଥିଲା। ଏବେ ଜଣେ ମା’ ଓ ତାଙ୍କ ଶିଶୁ ଆଖିବୁଜିବାରୁ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ୩୦ ବର୍ଷୀୟ ରାଜେନ୍ଦ୍ର ଶୁକ୍ଳା ଦାଢ଼ି କଟା ଯାଉଥିବା ବ୍ଲେଡରେ ଜଣେ ମହିଳାଙ୍କ ସି-ସେକସନ ସର୍ଜରୀ ବା ସିଜରିଆନ ପ୍ରସବ କରାଇଥିଲେ। ଏହି କାରଣରୁ ପ୍ରଥମେ ମହିଳା ଓ ପରେ ଦୁନିଆକୁ ନୂଆ କରି ଆସିଥିବା ନବଜାତକ ମଧ୍ୟ ପ୍ରାଣ ହରାଥିଲା।

ରାଜେନ୍ଦ୍ର ୮ମ ଯାଏ ପାଠ ପଢ଼ିଛି। ହେଲେ ତା’କୁ ସାଇନି ଗାଁରେ ରାଜେଶ ସାହାଣୀ ଖୋଲିଥିବା ମା ଶରଦା ହସ୍ପିଟାଲରେ ନିଯୁକ୍ତି ମିଳିଥିଲା। ତାକୁ ଏଠାରେ ସର୍ଜରୀ କରିବାର ଦାୟିତ୍ୱ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ରାଜେଶ ଏହି ଛୋଟ ହସ୍ପିଟାଲକୁ ବିନା ପଞ୍ଜୀକରଣରେ ଚଳାଇଥିଲେ। ପୁଲିସ ଏବେ ରାଜେନ୍ଦ୍ର ଓ ରାଜେଶଙ୍କୁ ଗିରଫ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି।

ସୁଲତାନପୁର ଏସ୍‌ପି ଅରବିନ୍ଦ କହିଛନ୍ତି, ମହିଳାଙ୍କ ସ୍ୱାମୀ ରାଜାରାମ ପ୍ରଥମେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ମେଡିକାଲରେ ଅବହେଳା ଯୋଗୁ ତାଙ୍କ ପତ୍ନୀ ଓ ନବଜାତ ସନ୍ତାନର ମୃତ୍ୟୁ ଘଟିଥିବା ସେ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ କ୍ଲିନିକଟି ବିନା ପଞ୍ଜୀକରଣରେ ଚାଲିଥିଲା।

ସେହିପରି ସର୍ଜରୀ ପାଇଁ ମଧ୍ୟରେ ସେଠାରେ କୌଣସି ପ୍ରକାରର ଭିତ୍ତିଭୂମି ନାହିଁ। ଅପରେସନ ପାଇଁ ରେଜର ବ୍ଲେଡର ବ୍ୟବହାର କରାଯାଉଛି। ଘଟଣା ଦିନ ମହିଳାଙ୍କୁ ଜଣେ ଦାହିଙ୍କ ଜରିଆରେ ପ୍ରସବ ରୁମ୍‌କୁ ନିଆଯାଇଥିଲା। ଏହି ସମୟରେ ଦାହି ଜଣଙ୍କ ମହିଳାଙ୍କ ସ୍ୱାମୀ ରାଜାରାମଙ୍କୁ ତୁରନ୍ତ ତାଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଥିଲେ।

ସେହିପରି ଅପରେସନ ଟେବୁଲରେ ପ୍ରବଳ ରକ୍ତଶ୍ରାବ ହେବାରୁ ରାଜେନ୍ଦ୍ର ମଧ୍ୟ ମହିଳାଙ୍କ ସ୍ୱାମୀଙ୍କୁ ସମାନ ପରାମର୍ଶ ଦେଇଥିଲେ। ଶେଷରେ ଲକ୍ଷ୍ନୌରେ ଥିବା କେଜେଏମୟୁ ଟ୍ରମା ସେଣ୍ଟରକୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।