କେନ୍ଦ୍ର ସରକାରଙ୍କ ପୋଲ୍ ଖୋଲିଲା ବିଜ୍ଞାପନ, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଭାଣ୍ଡିଆ ହେଲା କେନ୍ଦ୍ର ସରକାରଙ୍କ ବିଜ୍ଞାପନ ପ୍ରଚାର। ନିକଟରେ କେନ୍ଦ୍ର ସରକାର ଏକ ବିଜ୍ଞାପନ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଏହି ବିଜ୍ଞାପନ ଥିଲା। ଯେଉଁଥିରେ ଜଣେ ମହିଳା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋ ଥିଲା। ଏହି ବିଜ୍ଞାପନ ଜରିଆରେ ସରକାର କହିଥିଲେ କିଭଳି ଏହି ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି। ଯାହାକି ସରକାରଙ୍କ ସଫଳତା ବୋଲି କେନ୍ଦ୍ର ସରକାର ଦେଖାଇଥିଲେ। ହେଲେ ବିଜ୍ଞାପନର ସତ୍ୟତା ସମ୍ପୂର୍ଣ୍ଣ ଓଲଟା ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଏଭଳି ବିଜ୍ଞାପନ ଉପରେ ବର୍ଷିଛନ୍ତି।

ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏହି ପ୍ରଚାର ବେଳେ ବେଙ୍ଗଲି ଭାଷାରେ ମଧ୍ୟ ସରକାର ବିଜ୍ଞାପନ ଦେଇଥିଲେ। ହେଲେ ଏହି ବିଜ୍ଞାପନରେ ଯେଉଁ ମହିଳାଙ୍କୁ ଉପସ୍ଥାପନା କରାଯାଇଛି ଆଉ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ଏମିତି ୨୪ ଲକ୍ଷ ପରିବାର ପଶ୍ଚିମବଙ୍ଗରେ ଉପକୃତ ହୋଇଛନ୍ତି ସରକାରଙ୍କ ଆତ୍ମନିର୍ଭର ଭାରତ ଓ ଆତ୍ମନିର୍ଭର ବେଙ୍ଗଲ ଯୋଜନାରେ। ହେଲେ ସରକାର ଯେଉଁ ଦାବି କରିଛନ୍ତି ତାର ସତ କିନ୍ତୁ ଆଉ କିଛି ରହିଛି।

ବିଜ୍ଞାପନରେ ଉପସ୍ଥାପିତ ହୋଇଥିବା ମହିଳା ଜଣଙ୍କ କୋଲକାତାର। ଯିଏକି ବୋଓବାଜାରରେ ରୁହନ୍ତି।  ତାଙ୍କ ନାମ ଲକ୍ଷ୍ମୀ। ସେ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟାରେ କହିଛନ୍ତି ବିଜ୍ଞାପନରେ ତାଙ୍କର ଫଟୋ ଲାଗିଛି। ହେଲେ ସେ କୌଣସି ଘର ପାଇ ନାହାନ୍ତି। ତାଙ୍କର ଘର ନାହିଁ। ଏବେ ବି ୫୦୦ ଟଙ୍କା ଭଡ଼ାରେ ରହୁଛନ୍ତି। ଏମିତିକି ଗୋଧାଇବା ପାଇଁ ଘର ମଧ୍ୟ ନଥିବା ସେ କହିଛନ୍ତି। ସେ ତାଙ୍କ ପରିବାର ସହିତ ମୋଟ ୬ ଜଣଙ୍କୁ ନେଇ ରୁହନ୍ତି। ହେଲେ ଘରେ ଜାଗା ନଥିବାରୁ ପିଲାମାନେ ଘର ଭିତରେ ଶୁଅନ୍ତି ସେ ବାହାରେ ଶୁଅନ୍ତି ବୋଲି କହିଛନ୍ତି। ଘର ଭିତରେ ଏକ ଛୋଟିଆ ଟିଭି ଏବଂ ଫ୍ରିଜ ଥିବା ଦେଖିବାକୁ ମିଳିଛି। ସେ ଏହି ବିଜ୍ଞାପନ ବାବଦରେ ପଡ଼ୋଶୀଙ୍କ ପାଖରୁ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ତେବେ ତାଙ୍କ ଫଟୋ କିଏ ଉଠାଇଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଏମିତିକି ସେ ବିଜେପି ନେତାଙ୍କ ସମ୍ପର୍କରେ ନାହାନ୍ତି କି ରାଜନୀତି ବୁଝନ୍ତି ନାହିଁ ବୋଲି କୁହନ୍ତି। ତେବେ ଶାସକ ବିଜେପି ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।