ନିର୍ଯାତନାର ସୀମା ଟପିଲା, ପୁରୁଷଙ୍କୁ କାନ୍ଧରେ ବସାଇ ମହିଳା ଚାଲିଲେ ୩ କିମି
ଭୋପାଲ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ଜଣେ ଆଦିବାସୀ ମହିଳାଙ୍କୁ ସ୍ୱାମୀଙ୍କ ଘରର ଜଣେ ପୁରୁଷଙ୍କୁ କାନ୍ଧରେ ବସାଇ ୩ କିମି ରାସ୍ତା ଜବରଦସ୍ତି ଚଲାଇ ଚଳାଇ ନିଆଯାଇଛି। ଚାଲିଲା ବେଳେ ତାଙ୍କୁ କାଠ ଷ୍ଟିକରେ ମାଡ଼ ମଧ୍ୟ ମରାଯାଇଛି।
ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଅନୁଯାୟୀ, ମହିଳା ଜଣଙ୍କ ଜଣେ ପୁରୁଷଙ୍କୁ କାନ୍ଧରେ ବସାଇ ଚାଲି ଚାଲି ଯାଉଥିବା ବେଳେ ଗାଁର ଲୋକମାନେ ତାଙ୍କ ପାଖରେ କାଠ ଫାଳିଆ ଓ କ୍ରିକେଟ ବ୍ୟାଟ ଧରି ଚାଲୁଛନ୍ତି। କିଛି ଲୋକ ଚିତ୍କାର କରୁଥିବା ବେଳେ ଆଉ କିଛି ନିର୍ଯାତନା ବେଳର ଦୃଶ୍ୟକୁ ଉପଭୋଗ କରିବାରେ ଲାଗିଛନ୍ତି।
ମହିଳା ଜଣଙ୍କ ଥକି ପଡ଼ି ଧୀରେ ଚାଲିବାରୁ ତାଙ୍କୁ କାଠ ଫାଳିଆରେ ମାଡ଼ ମଧ୍ୟ ମରାଯାଉଛି। ଘଟଣାଟି ଗୁନା ଜିଲ୍ଲାର ସଗାଇ ଓ ବାନ୍ସ ଖେଡି ଗାଁ ମଧ୍ୟରେ ଘଟିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।
A married tribal woman in Guna was beaten up, shamed and forced to carry her relatives on her shoulders as punishment @ndtv @ndtvindia @NCWIndia @sharmarekha @ChouhanShivraj @drnarottammisra @OfficeOfKNath @manishndtv @GargiRawat @vinodkapri @rohini_sgh pic.twitter.com/H8ZJL8m86g
— Anurag Dwary (@Anurag_Dwary) February 15, 2021
ମହିଳା ଜଣଙ୍କ କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ ଠାରୁ ସହମତି ଭିତ୍ତିରେ ଅଲଗା ହୋଇଥିଲେ। ଏହାପରେ ସେ ଆଉ ଜଣେ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଗତ ସପ୍ତାହରେ ସ୍ୱାମୀଙ୍କ ପରିବାର ଓ ଗାଁ ଲୋକ ମହିଳାଙ୍କ ଘର ପାଖକୁ ଆସି ତାଙ୍କୁ ଉଠାଇ ନେଇଥିଲେ।
ସ୍ୱାମୀଙ୍କ ଘରେ ପହଞ୍ଚିବା ପରେ ସମସ୍ତେ ମିଳିମିଶି ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ପର ପୁରୁଷ ସହ ସମ୍ପର୍କ ରଖିଥିବାରୁ ମହିଳାଙ୍କୁ ଦଣ୍ଡ ସ୍ୱରୂପ ସ୍ୱାମୀଙ୍କ ପରିବାର ଜଣେ ପୁରୁଷଙ୍କୁ କାନ୍ଧରେ ବସାଇ ୩ କିମି ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ତାଙ୍କୁ କାଠ ଫାଳିଆ ଓ ବ୍ୟାଟରେ ମାଡ଼ ମଧ୍ୟ ମରାଯାଇଥିଲା।
ଏଥିରେ ଭୟଭୀତ ହୋଇ ମହିଳା ଜଣଙ୍କ ଜଣେ ପୁରୁଷଙ୍କୁ କାନ୍ଧରେ ବସାଇ କଷ୍ଟେମଷ୍ଟେ ଆଗକୁ ବଢ଼ିଥିଲେ। ଚାଲିବା ବେଳେ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।