ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଠେଲି ଦେଲେ

ଛତ୍ରପୁର/ଜବଲପୁର: ଚଳନ୍ତା ଟ୍ରେନ ଭିତରେ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଅସଦାଚରଣ। ଖାଲି ସେତିକି ନୁହେଁ ମହିଳା ଜଣଙ୍କ ଏହାକୁ ବିରୋଧ କରିବାକୁ ଅଭିଯୁକ୍ତ ବ୍ୟକ୍ତି ତାଙ୍କୁ ଚଳନ୍ତା ଟ୍ରେନରୁ ତଳକୁ ଠେଲି ଦେଇଛି। ମହିଳାଙ୍କ ଘର ଉତ୍ତର ପ୍ରଦେଶରରେ ହୋଇଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ଖାଜୁରାହୋ ଠାରେ ଅସଦାଚରଣ କରାଯିବା ସହ ତଳକୁ ଫିଙ୍ଗି ଦିଆଯାଇଛି।

ବୁଧବାର ରାତିରେ ଏହି ଘଟଣା ଘଟିଥିଲା। ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଛତ୍ରୁପର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଛି। ଏବେ ବି ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଜିଆରପି ଏସ୍‌ପି ବିନାୟକ ବର୍ମା କହିଛନ୍ତି, “ଟ୍ରେନରେ ଥିବା ଜଣେ ପୁରୁଷ ଯାତ୍ରୀ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହାକୁ ସେ ବିରୋଧ କରିବାରୁ ପୁରୁଷ ଯାତ୍ରୀ ଜଣଙ୍କ ତାଙ୍କୁ ଚଳନ୍ତା ଟ୍ରେନରୁ ତଳକୁ ଠେଲି ଦେଇଥିଲେ। ମଧ୍ୟପ୍ରଦେଶର ଖାଜୁରାହୋ ଓ ଉତ୍ତର ପ୍ରଦେଶର ମାହୋବା ମଧ୍ୟରେ ଯାତାୟାତ କରୁଥିବା ଗୋଟିଏ ଯାତ୍ରୀବାହୀ ଟ୍ରେନ ଭିତରେ ଏପରି ଘଟଣା ଘଟିଛି। ପୁଲିସ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସାରିଛି ଓ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ।”

ମହିଳା ଜଣଙ୍କ ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ରୁହନ୍ତି। ସେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଥିବା ବାଗେଶ୍ୱର ଧାମ ମନ୍ଦିରରେ ଦର୍ଶନ ସାରି ଟ୍ରେନ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ହିଁ ଖାଜୁରାହୋ ନିକଟରେ ଥିବା ରାଜନଗର ସହରରେ ଏପରି ଘଟଣା ଘଟିଥିଲା। ପୀଡ଼ିତା ଜଣଙ୍କ କହିଛନ୍ତି, “ମୁଁ ବାଗେଶ୍ୱର ଧାମ ମନ୍ଦିର ଆସିଥିଲି। ମୁଁ ଟ୍ରେନରେ ବସିବା ପରେ ଜଣେ ପୁରୁଷ ଯାତ୍ରୀ ମୋତେ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଏହାକୁ ମୁଁ ବିରୋଧ କରିଥିଲି। ତଥାପି ସେ ବାରମ୍ବାର ମୋତେ ହଇରାଣ କରିଥିଲେ। ଏହାପରେ ମୁଁ ତାଙ୍କ ହାତକୁ କାମୁଡ଼ି ଦେଇଥିଲି। ଏଥିରେ ରାଗି ଯାଉ ଉକ୍ତ ବ୍ୟକ୍ତି ଜଣଙ୍କ ମୋତେ ଚଳନ୍ତା ଟ୍ରେନରୁ ରାଜନଗର ନିକଟରେ ଠେଲି ଦେଇଥିଲେ।”

ଗତ ୯ ମାସ ହେଲାଣି ମହିଳା ଜଣଙ୍କ ନିୟମିତ ଭାବେ ବାଗେଶ୍ୱର ଧାମ ମନ୍ଦିରକୁ ଆସୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।