ଲକ୍ଷେ ଟଙ୍କା ଆଶାରେ ୧୪ ଲକ୍ଷ ହରାଇଲେ ଯୁବତୀ

ଥାନେ: ପୁଣି ଅନଲାଇନ ଠକଙ୍କ ପଞ୍ଝାରେ ପଡ଼ି ଟଙ୍କା ହରାଇଛନ୍ତି ଜଣେ ଯୁବତୀ। ଜଣେ ୨୨ ବର୍ଷୀୟ ଯୁବତୀ ଲକ୍ଷେ ଟଙ୍କା ଋଣ କରିବାକୁ ଯାଇ ୧୪ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ଗୋଟିଏ ଫାଇନାନ୍ସ କମ୍ପାନୀର ପରିଚୟ ଦେଇ ଦୁଇ ଜଣ ଯୁବକ ତାଙ୍କ ଠାରୁ ଠାରୁ ଏପରି ଠକେଇ କରିଥିବା ଅଭିଯୋଗ ହୋଇଛି।

ଯୁବତୀଙ୍କ ବାପା ଗୋଟିଏ କମ୍ପାନୀର ବିଜନେସ ମୁଖ୍ୟ ଭାବେ କାମ କରୁଥିଲେ। ଅବସର ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ଲକ୍ଷ ଟଙ୍କା ଜମା କରିଥିଲେ। ବ୍ୟକ୍ତିଗତ କାରଣ ପାଇଁ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଉଠାଇଥିଲେ। ତେଣୁ ଏହି ଟଙ୍କା ପୈଠ କରିବାକୁ ସେ ଋଣ କରିବାକୁ ଚାହିଁଥିଲେ।

ଜୁଲାଇ ୨୪ରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରିବା ସହ ନିଜକୁ ଗୋଟିଏ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଲକ୍ଷେ ଟଙ୍କାର ଲୋନ ଦେବେ ବୋଲି କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଯୁବତୀ ଜଣଙ୍କ ମଧ୍ୟ ଲୋନ ପାଇଁ ପ୍ରୋସେସିଂ ଆରମ୍ଭ କରିଥିଲେ।

ପ୍ରାଥମିକ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ତାଙ୍କୁ ୨୬ ଶହ ଟଙ୍କା ପ୍ରୋସେସିଂ ଫି’ ବାବଦରେ ଦାଖଲ କରିବାକୁ କହିଥିଲେ। ଯୁବତୀ ଜଣଙ୍କ ମଧ୍ୟ ଟଙ୍କା ଦେଇଥିଲେ। ବିସ୍ତୃତ ତଥ୍ୟ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଲୋନ ମିଳି ନଥିଲା। କେବଳ ସମୟ ଗଡ଼ି ଚାଲିଥିଲା।

ଫଳରେ ସେ ଉକ୍ତ ଘରୋଇ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ଆଉ ଜଣେ ବ୍ୟକ୍ତି ଯୁବତୀଙ୍କ ସହ କଥାବାର୍ତ୍ତା କରିଥିଲେ। ପୂର୍ବରୁ ଲୋନ କାମରେ ନିୟୋଜିତ ଥିବା କର୍ମଚାରୀ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବର୍ତ୍ତମାନ ସେ ଏହି କାମ କରୁଥିବା ଯୁବତୀଙ୍କୁ ଦ୍ୱିତୀୟ ବ୍ୟକ୍ତ ଜଣଙ୍କ କହିଥିଲେ।

ତେଣୁ ଲୋନ ପ୍ରୋସେସିଂ ପାଇଁ ସବୁ କାମ ପୁଣି ଆରମ୍ଭ କରିବାକୁ ହେବ ବୋଲି ବ୍ୟକ୍ତି ଜଣଙ୍କ ପରାମର୍ଶ ଦେଇଥିଲେ। ଯୁବତୀ ଜଣଙ୍କ ପୁଣି ତାଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ଟଙ୍କା ନେବା ବେଳେ ଏହାକୁ ଯୁବତୀଙ୍କୁ ଫେରାଇ ଦିଆଯିବ ବୋଲି ମଧ୍ୟ ବ୍ୟକ୍ତି ଜଣଙ୍କ ପ୍ରତିଶ୍ରୁତି ଦେଇଥିଲେ।

ଏପରି ଭାବେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ଠାରୁ ୧୪.୪୭ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଯୁବତୀ ଜଣଙ୍କ ଏହି ଟଙ୍କା ଦେଇଛନ୍ତି। ତଥାପି ଲୋନ ମଞ୍ଜୁର ନ ହେବାରୁ ଯୁବତୀ ଜଣଙ୍କ ଠକାମୀର ଗନ୍ଧ ବାରିଥିଲେ। ଏହାପରେ ପୁଲିସ୍ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ।

ପୁଲିସ୍‌ ଏବେ ଯୁବତୀଙ୍କୁ ଯୋଗାଯୋଗ କରିଥିବା ରାଜ କୁଣ୍ଡେ ଓ ଅଞ୍ଜୁମ ସାହୁ ନାମକ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।