୧୪ କୋଟି ଟଙ୍କାର ହେରୋଇନ ସହ ଧରାପଡ଼ିଲେ ମହିଳା

ନୂଆଦିଲ୍ଲୀ: ପୁଣିଥରେ ରାଜଧାନୀ ଦିଲ୍ଲୀରୁ ବିପୁଳ ପରିମାଣର ହେରୋଇନ ଜବତ ହୋଇଛି। ଜଣେ ମହିଳା ଠାରୁ କଷ୍ଟମ ବିଭାଗ ଅଧିକାରୀ ୨ କେଜି ଓଜନର ହେରୋଇନ ଜବତ କରିଛନ୍ତି। ଅନ୍ତର୍ଜାତୀୟ ମାର୍କେଟରେ ଏହି ଜବତ ହେରୋଇନର ମୂଲ୍ୟ ୧୪.୧୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ହରୋଇନ ସହ ଧରାପଡ଼ିଥିବା ମହିଳା ଜଣଙ୍କ ଉଗାଣ୍ଡା ନାଗରିକ। ସେ ଦୁବାଇରୁ ହେରୋଇନ ଧରି ଦିଲ୍ଲୀରେ ପହଞ୍ଚିଥିଲେ। ଏଠାରେ ଯାଞ୍ଚ ବେଳେ ତାଙ୍କୁ ଠାରୁ ଏହା ମିଳିଛି। କଷ୍ଟମ ବିଭାଗ ଅଧକାରୀମାନେ ପ୍ରଥମେ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ଏହି ସମୟରେ ୨,୦୨୦ ଗ୍ରାମ ଓଜନର ସାମାନ୍ୟ ଧୂଷର ରଙ୍ଗର ପାଉଡର ମିଳିଥିଲା। ପରୀକ୍ଷା ପରେ ଏଗୁଡ଼ିକ ହେରାଇନ ବୋଲି ସ୍ପଷ୍ଟ ହୋଇଥିଲା।

ଏହାପରେ ମହିଳା ଜଣଙ୍କୁ ଏନଡିପିଏସ ଆକ୍ଟ ୧୯୮୫ ଅନୁଯାୟୀ ଗିରଫ କରାଯାଇଛି। ଏବେ କଷ୍ଟମ ବିଭାଗ ପୂରା ଘଟଣାର ଯାଞ୍ଚ ଏନସିବିକୁ ଦେଇଛି। ପ୍ରକୃତରେ ମହିଳା ଜଣଙ୍କ କ’ଣ ପାଇଁ ଦିଲ୍ଲୀକୁ ଏତେ ପରିମାଣର ହେରୋଇନ ଆଣିଥିଲେ ଓ ଏହା ପଛରେ କୌଣସି ରାକେଟର ହାତ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

ଏହାପୂର୍ବରୁ ରବିବାର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ କେନିୟାର ଜଣେ ମହିଳାଙ୍କୁ ହେରୋଇନ ସହ କାବୁ କରାଯାଇଥିଲା। ତାଙ୍କ ଠାରୁ ୨ କେଜିରୁ ଅଧିକ ଓଜନର ହେରୋଇନ ମିଳିଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ। ଏହି ୩୩ ବର୍ଷୀୟ ମହିଳା ଜଣଙ୍କ ଏୟାର ଆରବିୟା ବିମାନରେ ଶାରଜାରୁ ଜୟପୁର ଆସିଥିଲେ। କିନ୍ତୁ ତାଙ୍କ ନାଁରେ ପୂର୍ବରୁ ହିଁ ଲୁକ ଆଉଟ ସର୍କ୍ୟୁଲାର ଜାରି ହୋଇଥିଲା। ଏହି କାରଣରୁ ଏୟାରପୋର୍ଟରେ ତାଙ୍କୁ ଅଟକ ରଖି ସୁରକ୍ଷା ଅଧିକାରୀ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଗରୁ ବିପୁଳ ପରିମାଣର ହେରୋଇନ ମିଳିଥିଲା।

ସେହିପରି ନଭେମ୍ବର ୧୩ରେ ଦିଲ୍ଲୀ ଏୟାରପୋର୍ଟରୁ ଦୁଇ ଜଣ ଉଗାଣ୍ଡା ମହିଳାଙ୍କ ଠାରୁ ୧୨.୯ କେଜି ଓଜନର ହେରୋଇନ ଜବତ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ସୁରକ୍ଷା ଅଧିକାରୀ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।