ଏସିଡ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଶିବସେନାର ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାଂସଦ। ସ୍ୱାଧୀନ ଭାବେ ଅମରାବତୀରୁ ଲୋକସଭାକୁ ଯାଇଥିବା ନବନୀତ କୌର ରାଣା ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବାରୁ ତାଙ୍କୁ ସାଂସଦ ଅରବିନ୍ଦ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରି କି ତାଙ୍କୁ ଫୋନ ଯୋଗେ ଏସିଡ ଆକ୍ରମଣର ଧମକ ମିଳିଥିବା ମଧ୍ୟ ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଲୋକସଭାର ଲବିରେ ତାଙ୍କୁ ସାଂସଦ ଅରବିନ୍ଦ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବାରୁ ଜେଲ ପଠାଇ ଦେବାକୁ ଚେତାବନୀ ଦେଇଥିବା ସେ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହା ବିରୋଧରେ ସେ ମାମଲା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ସାଂସଦ ଅରବିନ୍ଦ ସାୱନ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ମହିଳା ସାଂସଦଙ୍କୁ ଯଦି କେହି ଏପରି ଧମକ ଦେଇଛି, ତା’ହେଲେ ସେ ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛନ୍ତି ବୋଲି ମଧ୍ୟ କହିଛନ୍ତି।

ନବନୀତି କୌର ରାଣା ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ କହିଛନ୍ତି, “ଆଜି ଯେଉଁଭଳି ଭାବେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ମୋତେ ଧମକ ଦେଲେ, ଏହା କେବଳ ମୋ ପ୍ରତି ନୁହେଁ ବରଂ ପୂରା ଦେଶର ମହିଳାଙ୍କ ପ୍ରତି ଅପମାନ। ତେଣୁ ମୁଁ ଅରବିନ୍ଦଙ୍କ ବିରୋଧରେ କଠୋର ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।

ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟ ଉପରେ ମୁଁ ପ୍ରଶ୍ନ କରିଥିବାରୁ ଅରବିନ୍ଦ ଅତ୍ୟନ୍ତ ରାଗି ଯାଇଥିଲେ। ସେ ମୋତେ ଧମକ ଦେଇ ମୁଁ କେମିତି ମହାରାଷ୍ଟ୍ରରେ ବୁଲିବି, ତା’କୁ ଦେଖିବେ ବୋଲି ଚେତାବନୀ ଦେଇଛନ୍ତି। ଆମେ ତୁମକୁ ମଧ୍ୟ ଜେଲରେ ବନ୍ଦ କରିଦେବୁ। ଖାଲି ଅପେକ୍ଷା କର ବୋଲି ଅରବିନ୍ଦ ମୋତେ ଧମକ ଦେଇଛନ୍ତି। ଏକଥା ଶୁଣି ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ମୋ ସହ ମୋର ଜଣେ ସହଯୋଗୀ ଲୋକସଭା ଲବିରେ ଥିଲେ। ମୁଁ ତାଙ୍କୁ ପଚାରି ଥିଲି, ଆପଣ କିଛି ଶୁଣିଲେ କି? ସେ କହିଲେ ହଁ, ମୁଁ ଶୁଣିଛି। ରାଜମୁନ୍ଧୁରୀ ସାଂସଦ ଭାରତ ମରଗାନି ପୂରା ଘଟଣାର ସାକ୍ଷୀ ରହିଛନ୍ତି।”

ସେ ଆହୁରି କହିଛନ୍ତି, “ମୋତେ ଏସିଡ ଆକ୍ରମଣର ଧମକ ଫୋନ ଯୋଗେ ମିଳିଛି। ସେହିପରି ଶିବସେନା ଲେଟର ପ୍ୟାଡ୍‌ରେ ମୋତେ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୁଲିସ୍‌ ଓ ବାଚସ୍ପତି ଓମ ବିର୍ଲାଜୀଙ୍କୁ ଜଣାଇ ଦେଇଛି। ମୋତେ ଫୋନ କରି କୁହାଯାଇଛି ଯେ ଯେଉଁ ସୁନ୍ଦର ଚେହେରା ପାଇଁ ତୁମେ ଗର୍ବ କରୁଛ, ତା’କୁ ଏସିଡ ପକାଇ ନଷ୍ଟ କରିଦିଆଯିବ। ଆଉ ତୁମେ କୁଆଡ଼େ ବି ଯାଇ ପାରିବ ନାହିଁ।”

ନବନୀତି ଲୋକସଭାରେ ନିଲମ୍ବିତ ମୁମ୍ବାଇ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ମୁମ୍ବାଇ ପୁଲିସ୍‌ର ପୂର୍ବତନ କମିଶନର ପରମବୀର ସିଂହ ଆଣିଥିବା ଦୁର୍ନୀତି ଅଭିଯୋଗକୁ ଆଧାର କରି ଉଦ୍ଧବ ଠାକରେ ସରକାର ଶାସନ ଗାଦିରୁ ଓହ୍ଲାଇ ଆସିବା ଦରକାର ବୋଲି ସେ କହିଥିଲେ। ଏହାକୁ ନେଇ ସଂସଦରେ ବେଶ ହଙ୍ଗାମା ବି ହୋଇଥିଲା। ଏହାପରେ ପୂରା ଘଟଣା ଘଟିଥିବା ନବନୀତ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।