ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କୁ ହତ୍ୟା କଲେ ୪ର୍ଥ ସ୍ୱାମୀ

ଆଜମେର: ପରକୀୟା ପ୍ରୀତି ସନ୍ଦେହରୁ ଗଡ଼ିଛି ମୁଣ୍ଡ। ଦୁଇ ଜଣ ସହଯୋଗୀଙ୍କ ସହ ମିଶି ପତ୍ନୀଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀଙ୍କ ଚକର ଆଉ କେଉଁ ପୁରୁଷଙ୍କ ସହ ଚାଲିଥିବା ଆଶଙ୍କା କରି ବ୍ୟକ୍ତି ଜଣଙ୍କ ଘଟାଇଛନ୍ତି ଏତେବଡ଼ କାଣ୍ଡ। ପ୍ରାଣ ହରାଇଥିବା ମହିଳା ଜଣଙ୍କ ପୂର୍ବରୁ ୩ ଜଣଙ୍କୁ ବିବାହ କରିଥିବା ବେଳେ ୪ର୍ଥ ସ୍ୱାମୀ ତାଙ୍କୁ ହତ୍ୟା କରିଛନ୍ତି। ରାଜସ୍ଥାନର ଆଜେମର ଜିଲ୍ଲା ଅନ୍ତର୍ଗତ ପୁସ୍କର ବ୍ଲକରେ ଥିବା ଦେଓନଗରରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ହତ୍ୟା ଘଟଣାରେ ମହିଳାଙ୍କ ୪ର୍ଥ ସ୍ୱାମୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

ଜିଲ୍ଲାର ନୂଆ ବାଇପାସ୍‌ ରୋଡ୍‌ର ଜଙ୍ଗଲ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ପୁଲିସ୍‌ ସେପ୍ଟେମ୍ବର ୧୭ରେ ଜାଣିବାକୁ ପାଇଥିଲେ। ପୁଲିସ୍‌ ଏହାକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ହେଉଛନ୍ତି ଖାନପୁରା ଅଞ୍ଚଳର କାନ୍ତା ଦେବୀ ଓ ତାଙ୍କ ସ୍ୱାମୀଙ୍କ ନାଁ ସେଥୁ ସିଂହ।

ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ କାନ୍ତା ଦେବୀଙ୍କ ବାପା ଛୋଟୁ ସିଂହ ପୂରା ଘଟଣା ପଛରେ ସେଥୁ ସିଂହଙ୍କ ହାତ ଥିବା ସନ୍ଦେହ କରିଥିଲେ। ପୁଲିସ ଏହାକୁ ଆଧାର କରି ଅଗକୁ ବଢ଼ିଥିଲା। ଘନଘନ ଜେରା ବେଳେ ସେଥୁ ସବୁ ସତ କଥା ପୁଲିସ୍‌ ଆଗରେ ବଖାଣିଥିଲେ।

ମକରୱାଲି ଗାଁରେ କାନ୍ତା ଓ ସେଥୁ ଗୋଟିଏ ଅଟୋରେ ବସିଥିଲେ। ଏହି ସମୟରେ ଅନ୍ୟ ପୁରୁଷଙ୍କ ସହ କାନ୍ତାଙ୍କ ସମ୍ପର୍କଥିବା ସନ୍ଦେହ କରି ସେଥୁ ପ୍ରବଳ ପାଟିତୁଣ୍ଡ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସେହି ଅଟୋ ଭିତରେ ହିଁ କାନ୍ତାଙ୍କୁ  ହତ୍ୟା କରିଥିଲେ। ଏହାପରେ ଅଟୋ ମାଲିକ ଖେମା ସିଂହ ଓ ତାଙ୍କ ଗର୍ଲଫ୍ରେଣ୍ଡ ରେଣୁକାଙ୍କ ସହାୟତାରେ ସେଥୁ ଜଙ୍ଗଲ ଅଞ୍ଚଳରେ କାନ୍ତାଙ୍କ ଶବ ଫୋପାଡ଼ି ଦେଇଥିଲେ।

ପୁଲିସ୍‌ କହିଛି ଯେ କାନ୍ତା ଓ ସେଥୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ସେଥୁ ଯୋଧପୁରରେ ଶ୍ରମିକ ଭାବେ କାମ କରନ୍ତି। ସେପ୍ଟେମ୍ବର ୧୭ରେ ସେ କାନ୍ତାଙ୍କୁ ଗାଁରୁ ଯୋଧପୁର ନେବାକୁ ଆସିଥିଲେ। ଅଟୋରେ ବସିଥିବା ବେଳେ ଖେମା ସିଂହ ବନ୍ଧୁଙ୍କ ପତ୍ନୀ ହିସାବରେ କାନ୍ତାଙ୍କ ସହ କଥା ହେବାକୁ ଚାହିଁଥିଲେ। ହେଲେ ପ୍ରତି ମୁହୂର୍ତ୍ତରେ କାନ୍ତାଙ୍କ ଫୋନ କଲ୍‌ ଆସିବାରେ ଲାଗିଥିଲା। ଏହା ଦେଖି ସେଥୁ ରାଗି ଯାଇଥିଲେ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କ ଆଉ କାହା ସହ ରହିଛି ବୋଲି ସନ୍ଦେହ କରି ପାଟିତୁଣ୍ଡ କରିଥିଲେ। ଶେଷରେ ଏହି ପାଟିତୁଣ୍ଡ ହତ୍ୟାର ରୂପ ନେଇଥିବା ପୁଲିସ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।