ବିଶ୍ୱବିଦ୍ୟାଳୟ ଓ ମଦ୍ରାସା ଉଡ଼ାଇ ଦେବାକୁ ଧମକ ଦେଲେ ନରସିଂହାନନ୍ଦ, ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ତଥା ତଥାକଥିତ ଧର୍ମ ପ୍ରଚାରକ ୟାତି ନରସିଂହାନନ୍ଦ ସରସ୍ୱତୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ସେ ବିଭିନ୍ନ ମଦ୍ରାସା ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଗନ ପାଉଡରରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହି ବୟାନ ପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ରବିବାର ଆଲିଗଡ଼ରେ ହିନ୍ଦୁ ମହାସଭା ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟାତି ନରସିଂହାନନ୍ଦ ଉତ୍ତରପ୍ରଦେଶ ସରକାର ମଦ୍ରାସାଗୁଡ଼ିକର କରୁଥିବା ସର୍ଭେ ସମ୍ପର୍କରେ ବୟାନ ଦେଇଥିଲେ। ସେ କହିଥିଲେ ଯେ “ଦେଶର କୌଣସି ବି ସ୍ଥାନରେ ମଦ୍ରାସା ଭଳି ସ୍ଥାନରେ ରହିବା କଥା ନୁହେଁ। ସମସ୍ତ ମଦ୍ରାସାଗୁଡ଼ିକୁ ଗନ ପାଉଡର ଦ୍ୱାରା ଉଡ଼ାଇ ଦେବା ଦରକାର। ଠିକ୍‌ ଚାଇନା ଭଳି। ମଦ୍ରାସାରେ ଥିବା ପିଲାମାନଙ୍କୁ କ୍ୟାମ୍ପସକୁ ପଠାଯିବା ଦରକାର। ଫଳରେ ସେମାନଙ୍କ ମସ୍ତିସ୍କରୁ କୁରାନ କୁହାଯାଉଥିବା ଭାଇରସକୁ ବାହାର କରାଯାଇ ପାରିବ।”

ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର। ଏଠାରେ ଥିବା ପିଲାମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ସେମାନଙ୍କ ମସ୍ତିସ୍କର ଚିକତ୍ସା କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯିବା ପରେ ଗାନ୍ଧି ନଗର ପୁଲିସ୍‌ ତାଙ୍କର ନାଁରେ ମାମଲା କରିଛି।

ତେବେ ପ୍ରଥମଥର ପାଇଁ ଯେ ୟାତିଙ୍କ ତୁଣ୍ଡ ପାଇଁ ମାମଲା ରୁଜୁ ହୋଇନାହିଁ। ଗତବର୍ଷ ସେ ହରିଦ୍ୱାରରେ ବିବାଦୀୟ ବୟାନ ଦେଇଥିବାରୁ ଗିରଫ ହୋଇଥିଲେ। ସେହିପରି ନିକଟରେ ମହତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ନାଁରେ ମାମଲା ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।