କରୋନା ଆକ୍ରାନ୍ତଙ୍କୁ ସହାୟତା କରୁଥିବାରୁ ଯୁବ କଂଗ୍ରେସ ମୁଖ୍ୟଙ୍କୁ ପୁଲିସ୍‌ର ଜେରା

ନୂଆଦିଲ୍ଲୀ: ମହମାରୀ କରୋନା ସମୟରେ ଅସହାୟଙ୍କୁ ସମସ୍ତ ପ୍ରକାରର ରିଲିଫ ସାମଗ୍ରୀ ଠାରୁ ଆରମ୍ଭ କରି ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଥିବା ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କୁ ଆଜି ଜେରା କରିଛି ପୁଲିସ୍‌। ସେ କେମିତି ଲୋକଙ୍କୁ ସହଯୋଗ କରୁଛନ୍ତି ଓ ରିଲିଫ ସାମଗ୍ରୀ କେଉଁଠୁ ଆଣୁଛନ୍ତି, ସେ ବିଷୟରେ ଜାଣିବା ପାଇଁ ଆଜି ଦିଲ୍ଲୀ ପୁଲିସ୍‌ ତାଙ୍କୁ ଜେରା କରିଛି।

ଶ୍ରୀନିବାସ କହିଛନ୍ତି, “ପୁଲିସ୍‌ ଆଜି ସକାଳେ ମୋତେ ଫୋନ କରିଥିଲା। ଏହାପରେ ମୋ ଅଫିସକୁ ଦିନ ୧୧.୪୫ରେ ଆସି ମୋତେ ପଚରାଉଚରା କରିଥିଲା। ଆମେ ଏଥିରେ ଭୟଭୀତ ହେବୁନାହିଁ। ଆମେ ପୂର୍ବଭଳି ଲୋକଙ୍କୁ ରିଲିଫ ଓ ମେଡିସିନ ଯୋଗାଇ ଦେବୁ। ଆମେ କିଛି ବି ଭୁଲ କରିନୁ। ଯଦି ଆମର ଛୋଟିଆ ସହଯୋଗ କାହାର ଜୀବନ ବଞ୍ଚାଇ ଦେଉଛି, ତା’ହେଲେ ଆମେ କେବେ ହେଲେ ଏହାକୁ ବନ୍ଦ କରିବୁନି। ଆମେ ଏଭଳି ପିଆଇଏଲରେ କେବେ ହେଲେ ଡରିବୁନି।”

ନିକଟରେ ଦିଲ୍ଲୀ ହାଇକୋର୍ଟରେ ଶ୍ରୀନିବାସ ଓ ତାଙ୍କ ଟିମ୍‌ ବିରୋଧରେ ଗୋଟିଏ ପିଆଇଏଲ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ନିଜର ଫାଇଦା ହାସଲ କରିବାକୁ କୋଭିଡ୍‌ ଚିକିତ୍ସା ପାଇଁ ବେଆଇନ ଔଷଧ ବଣ୍ଟନ କରୁଛନ୍ତି।

ଏହାକୁ ଆଧାର କରି ହାଇକୋର୍ଟ ପୁଲିସ୍‌କୁ ତଦନ୍ତ କରିବାକୁ କହିଥିଲେ। ଏହାକୁ ଆଧାର କରି ଦିଲ୍ଲୀ ପୁଲିସ୍‌ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ସମେତ ଶ୍ରୀନିବାସଙ୍କୁ ପଚରାଉଚରା କରିଛି। ଆଜି କ୍ରାଇମବ୍ରାଞ୍ଚର ଅଧିକାରୀ ଯୁବ କଂଗ୍ରେସ ଅଫିସକୁ ଯାଇ ଶ୍ରୀନିବାସଙ୍କ ବୟାନ ରେକର୍ଡ କରିଥିବା ପୁଲିସ୍‌ କହିଛି।

ନିକଟରେ ଯୁବକ କଂଗ୍ରେସକୁ ଫିଲିପାଇନ୍ସ ଓ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ପକ୍ଷରୁ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାକୁ କୁହାଯାଇଥିଲା। ଏହାପରେ ତୁରନ୍ତ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଥିଲେ। ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ କଂଗ୍ରେସ ନେତା ଜୟରାମ ରମେଶଙ୍କ ମଧ୍ୟ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡ କମିଶନ ଯୁବ କଂଗ୍ରେସକୁ ସିଲିଣ୍ଡର ମାଗିବା ଥିବା ବେଳର ଟ୍ୱିଟକୁ ହଟାଇ ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।