୪ ବର୍ଷ ତଳେ ଅପହୃତ ୩୯ ଭାରତୀୟଙ୍କ ଶବ କବର ଭିତରୁ ବାହାରିଲା: କିଏ ଘଟାଇଲା ଏମିତି ବର୍ବରକାଣ୍ଡ, ପଢନ୍ତୁ

ନୂଆଦିଲ୍ଲୀ: ପ୍ରାୟ ୪ ବର୍ଷ ତଳେ ଇରାକ୍‌ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍ । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ୍ ଆଜି ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ  ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ।  ସେପଟେ ଏହି ପ୍ରସଙ୍ଗରେ ସରକାର ଦେଶବାସୀଙ୍କୁ ଭ୍ରମିତ କରିବା ସହ ଅନ୍ଧାରରେ ରଖିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବର୍ବରତାରେ ଉଜୁଡି ଯାଇଛି ୩୯ ଭାରତୀୟ ଶ୍ରମିକଙ୍କ ପରିବାର।  ସେମାନଙ୍କ ମୃତ୍ୟୁକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ୍ ଆଜି ସଂସଦକୁ ଜଣାଇଛନ୍ତି । ବାଦୁସ୍‌ରେ ଏକ ସମୂହ କବରରୁ ମିଳିଥିବା ମୃତଦେହ ସହ ଭାରତୀୟ ଶ୍ରମିକମାନଙ୍କ ଡିଏନଏ ମ୍ୟାଚ୍ କରୁଥିବା ସେ କହିଛନ୍ତି ।

ଏ ସଂପର୍କରେ ଗତକାଲି ହିଁ  ସ୍ପଷ୍ଟ ସୂଚନା ମିଳିଥିଲା, ୨୪ ଘଣ୍ଟା ମଧ୍ୟରେ ସେ ଦେଶବାସୀଙ୍କୁ ଏହି ଖବର ଜଣାଇଥିବା ସୁଷମା କହିଛନ୍ତି । ସେପଟେ ଶ୍ରମିକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସେମାନଙ୍କ ପରିବାର ହତାଶ ହୋଇପଡିଛନ୍ତି।   ୨୦୧୪ ଜୁନ୍ ୧୧ରେ ଇରାକ୍‌ରେ ଦ୍ୱିତୀୟ ବଡ଼ ସହର ମୋସୁଲକୁ ଆଇଏସଆଇଏସ କବ୍ଜା କରିବା ପରେ ଏହି ଭାରତୀୟ ଶ୍ରମିକମାନେ ସେଠାରୁ ଖସି ପଳାଇ ଆସିବାକୁ ଉଦ୍ୟମ କରିଥିଲେ।  ତେବେ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ହାତରେ ଧରାପଡ଼ିଯାଇଥିଲେ।  ଅନ୍ୟପକ୍ଷରେ ମୋସୁଲ୍‌ରୁ ଆଇଏସଆଇଏସ୍‌କୁ ହଟାଯିବା ପରେ ଭାରତୀୟ ଶ୍ରମିକଙ୍କ ସଂପର୍କରେ ଅନୁଧ୍ୟାନ ପାଇଁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଇରାକ୍ ଯାଇଥିଲେ।  ଭାରତୀୟ ଶ୍ରମିକଙ୍କୁ ପ୍ରଥମେ ଏକ ହସ୍ପିଟାଲ ନିର୍ମାଣ କାମରେ ଲଗା ଯାଇଥିଲା। ପରେ ସେମାନଙ୍କୁ ବାଦୁସ୍‌ରୁ ଏକ ଜେଲରେ ରଖାଯାଇଥିବା ଇରାକ୍  ଗୁଇନ୍ଦା ସଂସ୍ଥା ଜେନେରାଲ ସିଂହଙ୍କୁ ଜଣାଇଥିବା ଗତ ବର୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍‌ ସୂଚନା ଦେଇଥିଲେ। ତେବେ ଏହି ପ୍ରସଙ୍ଗ ନେଇ ଆଜି ସଂସଦରେ ହଟ୍ଟଗୋଳ ହୋଇଥିଲା

ମୃତକଙ୍କ ମଧ୍ୟରେ ପଞ୍ଜାବର ୨୭, ହିମାଚଳର ୪, ବିହାରର ୬ ଓ ପଶ୍ଚିମବଙ୍ଗର ୨ ଜଣ ଅଛନ୍ତି।  ଅପହୃତ ୪୦ ଜଣଙ୍କ ମଧ୍ୟରୁ ପଞ୍ଜାବର ଜଣେ ଶ୍ରମିକ ହରଜିତ୍ ମାସି କୌଶଳକ୍ରମେ ଆତଙ୍କବାଦୀଙ୍କ କବଳରୁ ଖସି ଆସିଥିଲେ।  ଅନ୍ୟ ଶ୍ରମିକମାନଙ୍କୁ ଆଇଏସଆଇଏସ୍ ଆତଙ୍କବାଦୀ ହତ୍ୟା କରିବାର ସେ ଦେଖିଥିବା ଦାବି କରିଥିଲେ।  ତେବେ ସୁଷମା ଆଜି ବି ହରଜିତ୍‌ଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି।  ଅନ୍ୟପକ୍ଷରେ ମୃତକଙ୍କ ଦେହାବଶେଷ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।