ସହର ଭିତରୁ ବିସ୍ଫୋରକ ଖଚିତ ଆଇଏସ ଆତଙ୍କୀ ଗିରଫ, ଏହି ସୁବ ସ୍ଥାନରେ ଜାରି ହେଲା ହାଇଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାକୁ ସୁରକ୍ଷାକର୍ମୀମାନେ ଅଳ୍ପକେ ଭଣ୍ଡୁର କରିଦେଇଛନ୍ତି। ଦିଲ୍ଲୀରେ ହମଲା କରିବାକୁ ଆସିଥିବା ବିସ୍ଫୋରକ ଖଚିତ ଜଣେ ଆଇଏସ ଆତଙ୍କବାଦୀଙ୍କୁ ଆଜି ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି। ତା’ ନିକଟରୁ ଦୁଇଟି ପ୍ରେସର କୁକରରେ ଥିବା ୧୫ କେଜି ଓଜନର ଆଇଇଡି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ତେବେ ତା’ ସହ ଥିବା ଆଉ ଜଣେ ସଦସ୍ୟ ଫେରାର ହୋଇଯାଇଛି। ଏହି କାରଣରୁ ଦିଲ୍ଲୀ-ନୋଏଡା ସହ ଉତ୍ତର ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଧୌଲା କୁଆଁନ ଅଞ୍ଚଳରୁ ଗିରଫ ଆଇଏସ ଆତଙ୍କୀର ନାଁ ଅବୁ ୟୁସୁଫ। ସେ ଦିଲ୍ଲୀରେ ଦୀର୍ଘ ଦିନ ହେଲା ଆସି ରହିବା ସହ ବିଭିନ୍ନ ସ୍ଥାନ ଭୁଲି ଆକ୍ରମଣ କରିବାକୁ ସୁଯୋଗ ଅପେକ୍ଷାରେ ରହିଥିଲା।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ଏହାର ପ୍ରତିଶୋଧ ପାଇଁ ସେ ଏଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲା। ତା’ ଟାର୍ଗେଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଓ ଭିଭିଆଇପିମାନେ ରହିଥିଲେ। ତା’ଠାରୁ ମିଳିଥିବା ଆଇଇଡିକୁ ଏନଏସଜି କମାଣ୍ଡୋମାନେ ଡିଫ୍ୟୁଜ କରିଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ଗିରଫ ଅବୁ ୟୁସୁଫକୁ କେନ୍ଦ୍ରୀୟ ଏଜେନ୍ସି, ୟୁପି ପୁଲିସ୍‌ର ଆତଙ୍କୀ ନିରୋଧକ ସ୍କ୍ୱାଡ ଓ ଦିଲ୍ଲୀ ପୁଲିସ୍‌ ମିଳିତ ଭାବେ ଜେରା କରୁଛନ୍ତି। ୟୁସୁଫକୁ ଧରିବା ବେଳେ ପୁଲିସ୍‌ ସହ ତା’ର କିଛି ସମୟ ପାଇଁ ଗୁଳି ବିନିୟମ ମଧ୍ୟ ହୋଇଥିଲା। ଗିରଫ ଆତଙ୍କୀର ଘର ଉତ୍ତର ପ୍ରଦେଶର ବଳରାମପୁରରେ। ସେ ଟିଭିଏସ୍ ଆପାଚି ଦ୍ୱାରା ଦିଲ୍ଲୀ ଆସିଥିଲା। ତା’ଠାରୁ ମିଳୁଥିବା ତଥ୍ୟ ଆଧାରରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ରେଡ ମଧ୍ୟ ଆରମ୍ଭ କରାଯାଇଛି।

ପ୍ରଥମ ରାଉଣ୍ଡ ଜେରା ବେଳେ ୟୁସୁଫ ଆଇଏସର ଆଫଗାନିସ୍ତାନ ହ୍ୟାଣ୍ଡଲରଙ୍କ ଯୋଗାଯୋଗରେ ଥିବା ସ୍ୱୀକାର କରିଛି। ଏହି ଗ୍ରୁପ୍‌ ଭାରତରେ ବଡ଼ ଧରଣର ହମଲା କରିବାକୁ ଯୋଜନା କରିଥିଲା। ଦିଲ୍ଲୀରେ ୟୁସୁଫ ଏକାଧିକ ସ୍ଥାନ ବୁଲି ଟାର୍ଗେଟ ସେଟ କରୁଥିଲା। ତେଣୁ ପୁଲିସ୍‌ ତା’ଠାରୁ ସେ ସବୁ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି।

କୋର୍ଟ ତା’କୁ ୮ ଦିନିଆ ରିମାଣ୍ତରେ ଛାଡ଼ିଛନ୍ତି। ଏହି ସମୟରେ ତଦନ୍ତକାରୀ ସଂସ୍ଥା ତା’କୁ ଉତ୍ତର ପ୍ରଦେଶର ବଳରାମପୁର ନେବାକୁ ଯୋଜନା କରିଛି। ପୁଲିସ୍‌ ବର୍ତ୍ତମାନ ସୁଦ୍ଧା ୟୁସୁଫ ନିକଟରୁ ଦୁଇଟି ପ୍ରେସର କୁକର, ଗୋଟିଏ ପିସ୍ତଲ, ୪ଟି ଜୀବନ ଗୁଳିଭର୍ତ୍ତି କାଟ୍ରିଜ ଓ ମୋବାଇଲ ଫୋନ ଜବତ କରିଛି। ଏହାବାଦ ୧୫ କେଜିର ଆଇଇଡି ମଧ୍ୟ ଠାବ କରାଯାଇଛି।

ଏହି ଘଟଣା ପରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଯାତାୟାତ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।