ଭାରତରେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ: ଭାରତ ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ତାଙ୍କର ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ। ହାଇଦ୍ରାବାଦରେ ହେବାକୁ ଥିବା ଗ୍ଲୋବାଲ ଏଣ୍ଟରପ୍ରିନରସିପ୍ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଇଭାଙ୍କା। ଭାରତ ଏବଂ ଆମେରିକା ମଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୨୭ଟି ଦେଶର ୧୨ ଶହରୁ ଅଧିକ ଯୁବ ଏଣ୍ଟରପ୍ରିନର୍ ସାମିଲ ହେବେ। ଏହାସହ ୩୦୦ ନିବେଶକାରୀ ସଂସ୍ଥା ଏବଂ ଷ୍ଟାଟ୍ଅପ୍ ବିଜନେସ୍ ସହ ଜଡ଼ିତ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ବିଶ୍ୱର ସବୁଠୁ ବଡ଼ ଏଣ୍ଟରପ୍ରିନର୍ସିପ୍ ସମ୍ମିଳନୀ। ଯାହା ଉଭୟ ଭାରତ ଏବଂ ଆମେରିକା ମଧ୍ୟରେ ଅର୍ଥନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ।

ଇଭାଙ୍କାଙ୍କ ସହିତ ସମ୍ମିଳନୀରେ ଯୋଗ ଦେବେ ୩୫୦ ଆମେରିକୀୟ ପ୍ରତିନିଧି। ଅନ୍ୟପଟେ, ଇଭାଙ୍କାଙ୍କ ସୁରକ୍ଷା ଦୃଷ୍ଟିରୁ ହାଇଦ୍ରାବାଦକୁ ଟପ୍ ସିକ୍ୱିରିଟି ଜୋନରେ ପରିଣତ କରାଯାଇଛି। ୧୦ ହଜାର ଅତିରିକ୍ତ ଫୋର୍ସ ମୁତୟନ ହୋଇଛି। ଇଭାଙ୍କା ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ କାର୍ ବ୍ୟବହାର କରିବେ।  ସହରରୁ ସମସ୍ତ ଭିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି ପ୍ରଶାସନ।

ରାତିରେ ଇଭାଙ୍କା ମୋଦିଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ  ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡ଼ିଛି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।