ନିଖୋଜର ଦୀର୍ଘ ମାସ ପରେ ହଠାତ୍ ସାମ୍ନାକୁ ଆସିଲେ ଜ୍ୟାକ ମା
ବେଜିଂ: ଆଲିବାବା କମ୍ପାନୀର ପ୍ରତିଷ୍ଠାତା ତଥା ବିଶ୍ୱର ପ୍ରଖ୍ୟାତ ଶିଳ୍ପପତି ଜ୍ୟାକ ମା ୩ ମାସ ନିଖୋଜ ରହିବା ପରେ ଆଜି ହଠାତ୍ ସର୍ବସମ୍ମୁଖକୁ ଆସିଛନ୍ତି। ସେ ଗୋଟିଏ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ନିଜ ମତ ରଖୁଥିବା ଦେଖିବାକୁ ମିଳିଛି। ନିଖୋଜ ପୂର୍ବରୁ ଚାଇନାର ଏହି ଶିଳ୍ପପତି ଜଣଙ୍କ କ୍ଷମତାସୀନ ଜିନପିଙ୍ଗ ପ୍ରଶାସନର ଶାସନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ।
ସେ ଏକ କାର୍ଯ୍ୟକ୍ରମରେ ଚାଇନା ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଭିନ୍ନ ରାଷ୍ଟ୍ର ଜ୍ୟାକ ମାଙ୍କ ଅର୍ନ୍ତଧ୍ୟାନ ପଛରେ ଚାଇନାର ହାତଥିବା କହିଥିଲେ। ଏହାକୁ ନେଇ ଜିନପିଙ୍ଗ ସରକାର ଚାପରେ ଥିଲା।
ଏସବୁ ଭିତରେ ଆଜି ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଜ୍ୟାକ ମାଙ୍କ ଗୋଟିଏ ଭିଡିଓ ଶେୟାର କରିଛି। ଏଥିରେ ଜ୍ୟାକ କହୁଛନ୍ତି ଯେ ଯେତେବେଳେ କରୋନା ଭାଇରସର ଅନ୍ତ ଘଟିବ, ଆମେ ସେତେବେଳେ ପରସ୍ପରକୁ ଭେଟିବା।
Ma, who used to be an English teacher and founder of #Alibaba, also gives wishes to village teachers via a video on Wednesday, saying usually the activity is held in Sanya in southern Hainan but this year, due to #Covid19 it has to be done via video conference. pic.twitter.com/yfi7oPB5Sb
— Qingqing_Chen (@qingqingparis) January 20, 2021
ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ବିଏନଓ ମଧ୍ୟ ଜ୍ୟାକ ମାଙ୍କ ଭିଡିଓକୁ ଶେୟାର କରିଛି। ବୁଧବାର ଜ୍ୟାକ ମା ଗ୍ରାମିକ ଶିକ୍ଷକଙ୍କ ବାର୍ଷିକ ସମ୍ମିଳନୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ ହେଁ ସେ ବର୍ତ୍ତମାନ କେଉଁ ସ୍ଥାନରେ ଅଛନ୍ତି, ସେକଥା କହିନାହାନ୍ତି।
ଅନ୍ୟପକ୍ଷରେ ଜ୍ୟାକ ମା ସର୍ବସମ୍ମୁଖକୁ ଆସିବା ପରେ ହଂକଂରେ ଆଲିବାବାର ଶେୟାରରେ ୪% ବୃଦ୍ଧି ଘଟିଛି। ଚାଇନା ସରକାରଙ୍କ ଚାପରେ ସେ ଏଭଳି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।