ସାଂଘାତିକ ତଥ୍ୟ ଦେଲେ ରାଜ୍ୟପାଳ, ବେଙ୍ଗଲରେ ଗଢ଼ି ଉଠୁଛି ବୋମା ତିଆରି ଫ୍ୟାକ୍ଟ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହାପରେ ସେ ସାମ୍ବାଦିକ ସମ୍ମିଳନୀ କରି ବେଙ୍ଗଲ ସମ୍ପର୍କରେ ସାଂଘାତିକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ବେଙ୍ଗଲର ସୁରକ୍ଷା ସ୍ଥିତି ଏବେ ବିପଦରେ ରହିଛି।

କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ବେଙ୍ଗଲରେ ନିଜର ସଂଗଠନକୁ ଅଧିକ ଦୃଢ଼ କରିବା ପାଇଁ ଉଦ୍ୟମ କରୁଛି। ରାଜ୍ୟର ଏକାଧିକ ସ୍ଥାନରେ ବୋମା ତିଆରି ଫ୍ୟାକ୍ଟ୍ରୀ ଖୋଲିବାରେ ଲାଗିଛି। ସବୁ କିଛି ଖୋଲାଖୋଲି ଚାଲିଥିବା ବେଳେ ରାଜ୍ୟ ପ୍ରଶାସନ କ’ଣ କରୁଛି, ସେକଥା ମୁଁ ଜାଣିବାକୁ ଚାହୁଁଛି। ବେଙ୍ଗଲରେ ପୁଲିସର ରାଜନୀତିକରଣ ହୋଇ ସାରିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ପଶ୍ଚିମବଙ୍ଗରେ ମା’ ଭାରତୀଙ୍କ ପୁଅକୁ ଜଣେ ବାହାର ଲୋକ କୁହାଯାଉଛି। କାରଣ ସେ ବେଙ୍ଗଲ ଭୂମିର ନୁହନ୍ତି। ଏହା ଅତ୍ୟନ୍ତ ଦୁଃଖର ବିଷୟ। କୌଣସି ଭାରତୀୟଙ୍କୁ ବାହାର ଲୋକ କହିବା ସମ୍ବିଧାନ ବିରୋଧୀ। ସମ୍ବିଧାନ ବିରୋଧରେ ଯାହା ବି ଘଟିଲେ, ତା’ହା ମୋ ହୃଦୟକୁ ଆଘାତ ଦେଇଥାଏ। ଆମେ ସମସ୍ତେ ମା’ ଭାରତୀଙ୍କ ସନ୍ତାନ ଓ ଆମେ ଏକତା ଉପରେ ବିଶ୍ୱାସ କରୁ। ମା’ ଭାରତୀଙ୍କ ପୃଥିବୀରେ ରହୁଥିବା କୌଣସି ବ୍ୟକ୍ତିଙ୍କୁ ବାହାର ଲୋକ କୁହାଯାଇପାରିବ ନାହିଁ।”

୨୦୨୧ ପଶ୍ଚିମବଙ୍ଗ ପାଇଁ ଏକ ଆହ୍ୱାନର ବର୍ଷ। କାରଣ ଚଳିତ ବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ଏହା ଏକ ଭଲ ସୁଯୋଗ। ରାଜ୍ୟରେ ନିର୍ବାଚନ ସମୟ ଆସିଲା ମାତ୍ରେ ବହୁ ହିଂସା ଦେଖିବାକୁ ମିଳୁଛି। ଏଠାରେ ଭୋଟରଙ୍କ ମୌଳିକ ଅଧିକାର, ଅମଲାତନ୍ତ୍ରର ଭୂମିକା ଓ ପୁଲିସର କର୍ତ୍ତବ୍ୟରେ ବୁଝାମଣା କରାଯାଉଛି ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଧନକର ଓ ଶାହଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକାର ବେଶ ଗୁରୁତ୍ୱପୂର୍ଣ୍ଣ। ଗତବର୍ଷ ଅକ୍ଟୋବରରେ ମଧ୍ୟ ସେ ଶ୍ରୀ ଶାହଙ୍କୁ ଭେଟିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।