ଅଯୋଧ୍ୟା ବିବାଦରେ ରିଭ୍ୟୁ ପିଟିସନ ଦାଖଲ କଲା ଜାମିଆତ ଉଲେମା, ମସଜିଦ ହେଲେ ନ୍ୟାୟ ମିଳିବ ବୋଲି କହିଲା

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଜି ପ୍ରଥମ ରିଭ୍ୟୁ ପିଟିସନ ଦାଖଲ କରିଛି ଜାମିଆତ ଉଲେମା ଇ-ହିନ୍ଦ। ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ରାମ ମନ୍ଦିର ଓ ବାବ୍ରୀ ମସଜିଦ୍ ବିବାଦ ଘଟଣାରେ ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଦେଇଥିଲେ।

ବିବାଦୀୟ ୨.୭୭ ଏକର ଜମିକୁ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ଅନ୍ୟତ୍ର ୫ ଏକର ଜମି ମୁସଲିମ ପକ୍ଷଙ୍କୁ ଦେବାକୁ କହିଥିଲେ। ଏହା ବିରୋଧରେ ଏକାଧିକ ମୁସଲିମ ପକ୍ଷ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଥିଲେ। ଘୋଷଣା ଅନୁଯାୟୀ, ଅପରାହ୍ଣରେ ଜାମିଆତ ଉଲେମା ଇ-ହିନ୍ଦ ପ୍ରଥମ ରିଭ୍ୟୁ ପିଟିସନ ଦାଖଲ କରିଛି।

ଜାମିଆତ ବ୍ୟତୀତ ଆସନ୍ତା ଡିସେମ୍ବର ୯ ତାରିଖ ମଧ୍ୟରେ ସର୍ବ ଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ମଧ୍ୟ ରିଭ୍ୟୁ ପିଟିସନ ଦାଖଲ କରିବ। ରିଭ୍ୟୁ ପିଟିସନ ବର୍ତ୍ତମାନ ପ୍ରସ୍ତୁତ ଚାଲିଛି ଏବଂ ଖୁବଶୀଘ୍ର ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସୁନ୍ନି ୱାକଫ ବୋର୍ଡ ଓ ଏହି ଘଟଣାର ମୁଖ୍ୟ ଲିଟିଗାଣ୍ଟ ଅନସାରୀ ସୁପ୍ରିମକୋର୍ଟ ରାୟ ବିରୋଧରେ କୌଣସି ରିଭ୍ୟୁ ପିଟିସନ ଦାଖଲ କରିବେ ନାହିଁ ବୋଲି କହିଛନ୍ତି।

ଆଜିର ରିଭ୍ୟୁ ପିଟିସନ ସମ୍ପର୍କରେ ଜାମିଆତ ଉଲେମାର ମୁଖ୍ୟ ମୌଲାନା ଅଶ୍ରଦ ମଦାନୀ କହିଛନ୍ତି, “ପୂର୍ବରୁ ମୁସଲିମ ସଂପ୍ରଦାୟର ଅଧିକାଂଶ ଲୋକ ରିଭ୍ୟୁ ପିଟିସନ ସପକ୍ଷରେ ଥିବା ବେଳେ ବହୁତ କମ ସଂଖ୍ୟକ ଲୋକ ଏହା ବିରୋଧରେ ରହିଥିଲେ। ଏବେ ଆମେ ଅଧିକାଂଶ ଲୋକଙ୍କୁ ସମ୍ମାନ ଜଣାଇ ରିଭ୍ୟୁ ପିଟିସନ ଦାଖଲ କରିଛୁ।

କୋର୍ଟ ଆମକୁ ରିଭ୍ୟୁ ପିଟିସନ ଦାଖଲ କରିବାର ଅଧିକାର ଦେଇଛନ୍ତି। ତେଣୁ ଆମେ ରିଭ୍ୟୁ ପିଟିସନ ଦାଖଲ କରିଛୁ। ପୂର୍ବରୁ କୁହାଯାଉଥିଲା ଯେ ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି। ହେଲେ ସୁପ୍ରିମକୋର୍ଟ ରାୟ ଦେବା ବେଳେ ମନ୍ଦିରର ଭଗ୍ନାଂବଶେଷ ଉପରେ ମସଜିଦ ନିର୍ମାଣ ହୋଇଥିବା ନେଇ କୌଣସି ପ୍ରମାଣ ନଥିବା କହିଛନ୍ତି।

ତେଣୁ ଏହି ଅଞ୍ଚଳର ମାଲିକାନା ମୁସଲିମଙ୍କର ବୋଲି ପ୍ରମାଣିତ ହୋଇଛି। କିନ୍ତୁ କୋର୍ଟ ଚୂଡ଼ାନ୍ତ ରାୟ ଆମ ବିପକ୍ଷରେ ଦେଇଥିଲେ। ରାୟ ବୁଝାପଡ଼ୁ ନଥିବାରୁ ଆମେ ରିଭ୍ୟୁ ପିଟିସନ ଦାଖଲ କରିଛୁ।”

ରିଭ୍ୟୁରେ ଉଲ୍ଲେଖ କରାଯାଇଛି ଯେ “ଆମକୁ ସଂପୂର୍ଣ୍ଣ ନ୍ୟାୟ ସେତେବେଳେ ମିଳିବ ଯେତେବେଳେ ବାବ୍ରୀ ମସଜିଦ ପୁଃନ ନିର୍ମାଣ ପାଇଁ ଆମକୁ ନିର୍ଦ୍ଦେଶ ଦିଆଯିବ।”

ଜାମିଆତ ପକ୍ଷରୁ ଆଇନଜୀବୀ ଏଜାଜ ମକବୁଲ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ କାର୍ଯ୍ୟ କରିବା ଉପରେ ଅନ୍ତରୀଣ ରୋକ ଲଗାଇବାକୁ ନିବେଦନ କରିଛନ୍ତି। କାରଣ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ କରିବାକୁ ଏକ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଯେ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନର ଶୁଣାଣି ନ ହୋଇଛି, ସେ ଯାଏ ପୂର୍ବ ରାୟ ଉପରେ ରୋକ ଲାଗିବା ଦରକାର ବୋଲି ଆବେଦନକାରୀ କହିଛନ୍ତି।

ଆବେଦନକାରୀ ଆହୁରି କହିଛନ୍ତି ଯେ “ମୁସଲିମ ପକ୍ଷ କେବେ ହେଲେ ବି ବିବାଦୀୟ ଅଞ୍ଚଳଠାରୁ ଅନ୍ୟତ୍ର ୫ ଏକର ଜମି ମାଗି ନଥିଲେ। କିନ୍ତୁ ସୁପ୍ରିମକୋର୍ଟ କେଉଁ ଆଧାରରେ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଅନ୍ୟତ୍ର ଯୋଗାଇ ଦେବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି?”

ନଭେମ୍ବର ୯ରେ ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ବାଟ ପରିଷ୍କାର କରିଥିଲେ। ଏହି ବିବାଦୀୟ ଅଞ୍ଚଳର ମାଲିକାନାକୁ ରାମଲଲା ନ୍ୟାସକୁ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।