କଙ୍ଗନାଙ୍କ ପାଖରେ ସୁଶାନ୍ତଙ୍କ ମୃତ୍ୟୁର ପ୍ରମାଣ! ପଦ୍ମଶ୍ରୀ ଫେରାଇବାକୁ ବି ରଖିଲେ ସର୍ତ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଏଭଳି କଥା କହି ବଲିଉଡ ଇଣ୍ଡଷ୍ଟ୍ରୀକୁ କାଠ ଗଡ଼ାକୁ ଟାଣିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ପୁଣିଥରେ ବଡ଼ ବୟାନ ଦେଇ ତମ୍ବିତୋଫାନ ସୃଷ୍ଟି କରିଛନ୍ତି।

ସେ ଦେଇଥିବା ବୟାନକୁ ଯଦି ତଦନ୍ତକାରୀ ସଂସ୍ଥା ଆଗରେ ପ୍ରମାଣିତ କରିପାରିବେ ନାହିଁ, ତା’ହେଲେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବେ ବୋଲି ସର୍ତ୍ତ ରଖିଛନ୍ତି। ଏହାର ଅର୍ଥ ସୁଶାନ୍ତ କାହିଁକି ଜୀବନ ହାରିଲେ, ତା’ର ପ୍ରମାଣ କଙ୍ଗାନଙ୍କ ପାଖରେ ରହିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଜୁନ୍‌ ୧୪ରେ ସୁଶାନ୍ତ ସିଂହ ରାଜପୁତ ତାଙ୍କ ବାନ୍ଦ୍ର ସ୍ଥିତି ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଏହି ଆତ୍ମହତ୍ୟା ପଛରେ ଭୟଙ୍କର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି।

ଆଜି ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି, ସୁଶାନ୍ତ ମୃତ୍ୟୁ ମାମଲାରେ ମୁଁ ଯାହା କହିଛି, ତା’ର ପ୍ରମାଣ ମୋ ପାଖରେ ରହିଛି। ଯଦି ପୁଲିସ କି ସିବିଆଇ ତାଙ୍କୁ ଏ ସମ୍ପର୍କରେ ପଚାରନ୍ତି, ତେବେ ସେ ଆଣିଥିବା ଅଭିଯୋଗର ସମସ୍ତ ପ୍ରମାଣ  ଦେଇପାରିବେ। ଯଦି ସେ ପ୍ରମାଣ ଦେଇ ନପାରିବେ, ତେବେ ସେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବେ ବୋଲି ଦୃଢ଼ତାର ସହ କହିଛନ୍ତି।

କଙ୍ଗନା ଆହୁରି କହିଛନ୍ତି, “ସୁଶାନ୍ତଙ୍କ ମୃତ୍ୟୁ ପରେ ମୁଁ ଦେଇଥିବା ବୟାନ ପାଇଁ ମୁମ୍ବାଇ ପୁଲିସ୍‌ ମୋତେ ସମନ କରିଥିଲା। ହେଲେ ମୁଁ ମନାଲୀରେ ଥିବାରୁ ପୁଲିସ୍‌ କୌଣସି ଅଧିକାରୀଙ୍କୁ ପଠାଇ ମୋ ବୟାନ ରେକର୍ଡ କରୁ ବୋଲି ପରାମର୍ଶ ଦେଇଥିଲି। ହେଲେ ଏହାପରେ ମୁଁ କୌଣସି ଉତ୍ତର ପାଇ ନଥିଲି। ମୁଁ ଏଠାରେ କହିବାକୁ ଚାହେଁ ଯେ ମୁଁ ଯାହା କହିଛି ସବୁ କିଛି ପବ୍ଲିକ ଡୋମେନରେ ରହିଛି।

ଯଦି ବି ପବ୍ଲିକ ଡୋମେନରେ ନାହିଁ, ତା’ହେଲେ ପୁଲିସ୍‌ ଆଗରେ ସବୁ କିଛି କହିବାକୁ ପ୍ରସ୍ତୁତ ରହିଛି। ଯଦି ମୁଁ କହିଥିବା କଥାକୁ ପ୍ରମାଣିତ କରିପାରିବି ନାହିଁ, ତା’ହେଲେ ମୁଁ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ପ୍ରସ୍ତୁତ ରହିଛି।

କାଲି ଯଦି ତାପସୀ ପନ୍ନୁ କିମ୍ବା ସ୍ୱରା ଭାସ୍କରଙ୍କ ଭଳି ଆଉଟସାଇଡର ଆସି କହିବେ ଯେ ମୁଁ ଏହି ଇଣ୍ଡଷ୍ଟ୍ରୀକୁ ବହୁତ ଭଲ ପାଏ। ତା’ହେଲେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ଯଦି ଇଣ୍ଡଷ୍ଟ୍ରୀ ଓ କରନ ଜୋହରଙ୍କୁ ଏତେ ଭଲ ପାଉଛନ୍ତି, ତା’ହେଲେ ଆପଣମାନେ କାହିଁକି ଆଲିଆ ଭଟ୍ଟ କିମ୍ବା ଅନନ୍ୟା ପାଣ୍ଡେଙ୍କ ଭଳି କାମ ପାଉନାହାନ୍ତି? ଏହାର ଅର୍ଥ କେବଳ ପ୍ରିୟାପ୍ରୀତି ତୋଷଣରେ ସବୁ କିଛି ଚାଲିଛି। ମୁଁ ପୂର୍ବରୁ ଅନେକ ଥାର ଏହା କହିଛି। ହେଲେ ଏଥିପାଇଁ ମୋତେ ପାଗଳ କହି ସ୍ତମ୍ଭ ବି ପ୍ରକାଶ ପାଇଥିଲା।”