କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିକୋୟାନ ଗୁରେଭିଚ ମିଗ-୨୩ର ଗୋଟିଏ ଯୁଦ୍ଧ ବିମାନ ଅବସର ନେବା ପରେ ଏହାକୁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ରଖାଯାଇଛି। ତେବେ ଏଠାରେ ଥିବା ଏହି ଯୁଦ୍ଧ ସ୍ମାରକୀକୁ ବିକ୍ରି କରିବା ପାଇଁ କେହି OLXରେ ବିଜ୍ଞାପନ ଦେଇଛି।

ଫଟୋ ସହ ବିମାନଟି ସେକେଣ୍ଡ ହ୍ୟାଣ୍ଡରେ କେତେ ଟଙ୍କାରେ ବିକ୍ରି କରାଯିବ, ତା’ର ତଥ୍ୟ ମଧ୍ୟ ରହିଛି। ଏହି ଯୁଦ୍ଧ ସ୍ମାରକୀ ମିଗ-୨୩ ବିମାନର ମୂଲ୍ୟ ୯.୯୯ କୋଟି ରହିଥିଲା। ଘଟଣାଟି ସୋଶାଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହେବାରୁ OLX ତା’ର ୱେବସାଇଟ୍‌ରୁ ମିଗ-୨୩ ଯୁଦ୍ଧ ବିମାନର ଫଟୋ ଓ ତଥ୍ୟକୁ ହଟାଇ ଦେଇଛି।

OLXରେ ଥିବା ବିଜ୍ଞାପନରେ ମିଗ-୨୩ବିଏନ ଯୁଦ୍ଧ ବିମାନର ଫଟୋ ରହିଥିଲା। ଏହାର ଦାମ ସହ କ୍ୟାପସନ ରହିଥିଲା ଯେ ‘ବେଷ୍ଟ ଫାଇଟର ପ୍ଲେନ।’

୨୦୦୯ରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ଯୁଦ୍ଧ ବିମାନଟିକୁ ବିଶ୍ୱବିଦ୍ୟାଳୟକୁ ଉପହାର ଆକାରରେ ଦିଆଯାଇଥିଲା। ଏବେ ଏହାର ଫଟୋ OLX ଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବିଶ୍ୱବିଦ୍ୟାଳୟ କହିଛି।

ବିଶ୍ୱବିଦ୍ୟାଳୟର ପ୍ରୋକ୍ଟୋର ମହମ୍ମଦ ୱାସିମ ଅଲୀ କହିଛନ୍ତି, ଯୁଦ୍ଧ ବିମାନର ଫଟୋ OLXରେ ଛାଡ଼ିବା ଭୁଲ। ବିଶ୍ୱବିଦ୍ୟାଳୟକୁ ବଦନାମ କରିବା ପାଇଁ ଏଭଳି କରାଯାଇଛି। ଏହାକୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ତାଙ୍କ ପାଠ୍ୟ ବିଷୟରେ ଅନ୍ତର୍ଭୁକ୍ତ କରି ଅଧ୍ୟୟନ କରନ୍ତି।