କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

ସିଓଲ: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ ଦକ୍ଷିଣ କୋରିଆକୁ କ୍ଷମା ମାଗିଛନ୍ତି। ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ଉତ୍ତର କୋରିଆର ସୈନ୍ୟମାନେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ କିମ୍ ଦୁଖଃ ପ୍ରକାଶ କରିବା ସହ ଏହା ଏକ ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଥିବା ଦକ୍ଷିଣ କୋରିଆର ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି।

ଦକ୍ଷିଣ ଓ ଉତ୍ତର କୋରିଆର ବିବାଦୀୟ ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖିବା ପାଇଁ ସୋମବାର ଦିନ ଦକ୍ଷିଣ କୋରିଆର ଜଣେ ଅଧିକାରୀ ଡଙ୍ଗାରେ ଯାଇଥିଲେ। ସେଠାରୁ ସେ ନିଖୋଜ ହୋଇଯାଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ସେହି ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପଛରେ ଉତ୍ତର କୋରିଆର ହାତ ରହିଥିବା ମଧ୍ୟ ପଡ଼ୋଶୀ ଦକ୍ଷିଣ କୋରିଆ କହିଥିଲେ।

ଏବେ କିମ ଜଙ୍ଗ ଉନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନ ଓ ଦକ୍ଷିଣ କୋରିଆବାସୀଙ୍କୁ କ୍ଷମା ମାଗିଛନ୍ତି। ସେ ଦକ୍ଷିଣ କୋରିଆକୁ ପଠାଇଥିବା ମେସେଜରେ କହିଛନ୍ତି ଯେ ଦକ୍ଷିଣ କୋରିଆ କରୋନା ଭାଇରସ ଭଳି ମହମାରୀ ସହ ଲଢ଼େଇ କରୁଥିବା ବେଳେ ଅତ୍ୟନ୍ତ ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଭୁଲ ବଶତଃ ଘଟିଛି ବୋଲି ସେ ମେସେଜରେ କହିଛନ୍ତି।

ଗୁରୁବାର ଉତ୍ତର କୋରିଆର ସୈନିକମାନେ ପ୍ରଥମେ ଦକ୍ଷିଣ କୋରିଆର ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ।  ଏହା ପରେ ତେଲ ଢାଳି ତାଙ୍କୁ ଜଳାଇ ଦେଇଥିଲେ। ଏହି ଘଟଣାକୁ ଦକ୍ଷିଣ କୋରିଆ ତୀବ୍ର ନିନ୍ଦା କରିଥିଲା। ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଅଧିକାରୀ ଜଣକ ମଙ୍ଗଳବାର ଦ୍ୱିପହର ସୁଦ୍ଧା ଉତ୍ତର କୋରିଆ ତଟରେ ଥିଲେ। ଏହାପରେ ଉତ୍ତର କୋରିଆର ସୈନିକମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।