ଦିଦି ମୁଣ୍ଡ ନୁଆଁଇବା ପରେ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ହେଲା ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି। ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଜି ଆଲୋଚନା କରିଥିଲେ। ଏହି ବୈଠକରେ ମମତା ବାନାର୍ଜୀ ଡାକ୍ତରଙ୍କ ସବୁ ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେଇ ମୁଣ୍ଡ ନୁଆଁଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମମତା ଓ ଡାକ୍ତରଙ୍କ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ପଶ୍ଚିମବଙ୍ଗ ସଚିବାଳୟର ‘ନବାନ୍ନ’ ହଲରେ ହୋଇଥିଲା। ଏହି ବୈଠକ […]

po

Hemant Lenka
  • Published: Monday, 17 June 2019
  • , Updated: 17 June 2019, 09:45 PM IST

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ହେଲା ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି। ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଜି ଆଲୋଚନା କରିଥିଲେ। ଏହି ବୈଠକରେ ମମତା ବାନାର୍ଜୀ ଡାକ୍ତରଙ୍କ ସବୁ ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେଇ ମୁଣ୍ଡ ନୁଆଁଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମମତା ଓ ଡାକ୍ତରଙ୍କ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ପଶ୍ଚିମବଙ୍ଗ ସଚିବାଳୟର ‘ନବାନ୍ନ’ ହଲରେ ହୋଇଥିଲା।

ଏହି ବୈଠକ ପରେ ହସ୍ପିଟାଲ୍‌ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ ୨୪ ଜଣ ଡାକ୍ତର, ପୁଲିସ କମିଶନର, ଡିଜିପି, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଡାକ୍ତରଙ୍କ ଦାବି ଅନୁଯାୟୀ କୋଲକାତାର ଦୁଇଟି ଆଞ୍ଚଳିକ ଗଣମାଧ୍ୟମ ଏହି ବୈଠକର ସିଧା ପ୍ରସାରଣ କରିଥିଲେ। ତେବେ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ ଦେଇଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ମାଗିବା ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ରହିଛି।

ପୂର୍ବରୁ ଆନ୍ଦୋଳନକାରୀ ଡାକ୍ତର ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦାବି ସମେତ ୧୨ଟି ଦାବି ରଖିଥିଲେ। କିନ୍ତୁ ଆଜି ମମତାଙ୍କ ସହ ଆଲୋଚନା ବେଳେ ଡାକ୍ତରମାନେ କେବଳ ସେମାନଙ୍କ ସୁରକ୍ଷା ଓ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଉଠାଇଥିଲେ।

ବୈଠକରେ ଡାକ୍ତରମାନେ ମମତାଙ୍କୁ ନିଜର ‘ମୁରବି’ ବୋଲି ସମ୍ୱୋଧନ କରିଥିଲେ। ଜରୁରୀକାଳୀନ ଓ୍ୱାର୍ଡରେ ରୋଗୀଙ୍କ ବ୍ୟତୀତ ୨ରୁ ଅଧିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ। ଯେଉଁମାନେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ସେମାନେ ମମତାଙ୍କ ନିକଟରେ ନିବେଦନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଜରୁରୀକାଳୀନ ଓ୍ୱାର୍ଡରେ ୨ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ। ପ୍ରତି ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ଜଣେ ପୁଲିସ ଅଫିସର ସମ୍ଭାଳିବେ ବୋଲି ସେ କହିଛନ୍ତି। ଯେଉଁ ରୋଗୀଙ୍କର ମୃତ୍ୟୁ ହେବ ସେ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ଫୋରମ୍ ଜରିଆରେ ଅବଗତ କରାଯିବ ବୋଲି ମମତା ବାନାର୍ଜୀ ଡାକ୍ତରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ମମତା ଡାକ୍ତରଙ୍କ ୧୨ ଦଫା ଦାବି ଅନ୍ତର୍ଗତ ସରକାରୀ ହସ୍ପିଟାଲରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଓ ହସ୍ପିଟାଲ୍‌ରେ ନୋଡାଲ ପୁଲିସ ଅଫିସର ନିଯୁକ୍ତ କରିବାକୁ କୋଲକାତା ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ କୋଲକାତା ସ୍ଥିତ ନୀଲରତନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ଜୁନିୟର ଡାକ୍ତର ପରିବାହ ମୁଖୋପାଧ୍ୟାୟ ମୃତକଙ୍କ ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ଗତ ଗୁରୁବାର ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ କହିଥିଲେ, “ମୁଁ ଡାକ୍ତରଙ୍କ ଆନ୍ଦୋଳନକୁ ନିନ୍ଦା କରୁଛି। ପୁଲିସମାନେ ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଯାଉଛନ୍ତି, ହେଲେ ଆନ୍ଦୋଳନ କରୁନାହାନ୍ତି।” ମମତାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିଥିଲେ।

ମମତାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ସାରା ଦେଶରେ ୨୪ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନର ସମର୍ଥନରେ ଆଜି ସାରା ଦେଶରେ ସ୍ୱାସ୍ଥ୍ୟ ସେବା ଗୁରୁତର ପ୍ରଭାବିତ ହୋଇଥିଲା। ଦିଲ୍ଲୀ, ବାରଣାସୀ, ଜୟପୁର, ହାଇଦ୍ରାବାଦ୍ ଓ ଭୁବନେଶ୍ୱର ସବୁଠି ସମାନ ସ୍ଥିତି ରହିଥିଲା। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ( ଆଇଏମଏ)ର ୨୪ ଘଣ୍ଟିଆ ଧର୍ମଘଟ ଡାକରାର ଅଧିକ ପ୍ରଭାବ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା। କେବଳ ଜରୁରୀକାଳିନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିଥିଲା।

ଓଡିଶାରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଥିଲା। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁରରେ ଡାକ୍ତରମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନେକ ସ୍ଥାନରେ ଓପିଡି ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଆଜିକୁ ଚାରି ଦିନ ହେବ ଭୁବନେଶ୍ୱର ଏମ୍‌ସରେ ଜୁନିୟର ଡାକ୍ତର ଆନ୍ଦୋଳନରେ ବସି ରହିଥିବାରୁ ସେଠାରେ ମଧ୍ୟ ରୋଗୀ ସେବା ପ୍ରଭାବିତ ହୋଇଛି। ଓପିଡି ସମେତ ଅନ୍ୟାନ୍ୟ ବିଭାଗ ବାହାରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।

Related story