ଜମ୍ମୁ-କଶ୍ମୀର: ଲମ୍ବା ଧାଡ଼ି ଓ ଲୁହର କାହାଣୀ

ଶ୍ରୀନଗର: ଦୀର୍ଘ ଦୁଇ ଘଣ୍ଟା କାଳ ଲମ୍ବା ଧାଡ଼ିରେ ଛିଡ଼ା ହେଲେ ଫୋନ୍‌ରେ ମାତ୍ର ୨ ମିନିଟ୍‌ କଥା ହେବାର ସୁଯୋଗ ମିଳୁଛି। କେହି କେହି ଧାଡ଼ିରେ ଅପେକ୍ଷା କରୁଥିବା ବେଳେ କାନ୍ଦୁଛନ୍ତି ତ ଆଉ କେହି ଫୋନରେ ନିଜର ପ୍ରିୟଜନଙ୍କ କଥା ଶୁଣି ଲୁହକୁ ଅଟକାଇ ପାରୁ ନାହାନ୍ତି। ଜମ୍ମୁ-କଶ୍ମୀର ଡେପୁଟି କମିଶନରଙ୍କ ଅଫିସରେ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ଏଠାରେ ପ୍ରଶାସନ ପକ୍ଷରୁ କଶ୍ମୀର ବାସୀଙ୍କ ପାଇଁ ଫୋନର ବ୍ୟବସ୍ଥା କରାଯାଇଛି। […]

t

t

Hemant Lenka
  • Published: Tuesday, 13 August 2019
  • Updated: 13 August 2019, 04:06 PM IST

Sports

Latest News

ଶ୍ରୀନଗର: ଦୀର୍ଘ ଦୁଇ ଘଣ୍ଟା କାଳ ଲମ୍ବା ଧାଡ଼ିରେ ଛିଡ଼ା ହେଲେ ଫୋନ୍‌ରେ ମାତ୍ର ୨ ମିନିଟ୍‌ କଥା ହେବାର ସୁଯୋଗ ମିଳୁଛି। କେହି କେହି ଧାଡ଼ିରେ ଅପେକ୍ଷା କରୁଥିବା ବେଳେ କାନ୍ଦୁଛନ୍ତି ତ ଆଉ କେହି ଫୋନରେ ନିଜର ପ୍ରିୟଜନଙ୍କ କଥା ଶୁଣି ଲୁହକୁ ଅଟକାଇ ପାରୁ ନାହାନ୍ତି। ଜମ୍ମୁ-କଶ୍ମୀର ଡେପୁଟି କମିଶନରଙ୍କ ଅଫିସରେ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ଏଠାରେ ପ୍ରଶାସନ ପକ୍ଷରୁ କଶ୍ମୀର ବାସୀଙ୍କ ପାଇଁ ଫୋନର ବ୍ୟବସ୍ଥା କରାଯାଇଛି।

୧୪୪ ଧାରା ଲାଗୁ ହେବାର ଦୀର୍ଘ ୮ଟି ଦିନ ପରେ କଶ୍ମୀରବାସୀ ନିଜର ପ୍ରିୟଜନଙ୍କ ସହ କଥା ହେବାର ସୁଯୋଗ ପାଇଛନ୍ତି। ହେଲେ କେହି ବି ଦୁଇ ମିନିଟ୍‌ରୁ ଅଧିକ ସମୟ କଥା ହେବାର ପ୍ରାବଧାନ ନାହିଁ। ଲୋକମାନେ ଦୀର୍ଘ ୨ ଘଣ୍ଟାକାଳ ଧାଡ଼ିରେ ଛିଡ଼ା ହେବା ପରେ ଫୋନରେ କଥା ହେବାର ସୁଯୋଗ ପାଉଛନ୍ତି। ଏହି ଦୁଇ ମିନିଟ୍‌ ମଧ୍ୟରେ କଶ୍ମୀର ବାହାରେ ଥିବା ନିଜ ପରିବାର ଲୋକଙ୍କୁ କ’ଣ କହିବେ, ତା’କୁ ପୂର୍ବରୁ ସମସ୍ତେ ମନେ ରଖି ଯାଉଛନ୍ତି। ଅତ୍ୟଧିକ ଜରୁରୀ ପରିସ୍ଥିତି କ୍ଷେତ୍ରରେ ପ୍ରଶାସନ ଫୋନ କଲକୁ ୩ ମିନିଟ୍‌ ପାଇଁ ବୃଦ୍ଧି କରୁଛି।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ଦିନଠାରୁ କଶ୍ମୀରବାସୀ ମୋବାଇଲ୍‌, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡଫୋନ ସେବାରୁ ବଞ୍ଚିତ ହେଉଛନ୍ତି। ୮ ଦିନ ପରେ ପ୍ରଶାସନ ଫୋନର ବ୍ୟବସ୍ଥା କରିଥିଲେ ହେଁ ଏହା ଲୋକଙ୍କ ଦୁର୍ଦ୍ଦଶାକୁ ଦୂର କରିପାରି ନାହିଁ।

ମାରୁଫା ଭଟ୍ଟ ନାମକ ଜଣେ ମହିଳା ଦୀର୍ଘ ୨ ଘଣ୍ଟା ଛିଡ଼ା ହେବା ପରେ ଦିଲ୍ଲୀରେ ଥିବା ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। ହେଲେ ସେ ବୁଥ୍ ଛାଡ଼ି ବାହାରକୁ ବାହାରିବା ବେଳେ କେବଳ କାନ୍ଦିଥିଲେ।

ସେ ଫୋନ୍‌ରେ କେବଳ ପଚାରିଥିଲେ, “ତୁ ଭଲ ଅଛୁ ତ?” ଆଉ କିଛି କହିବା ପୂର୍ବରୁ ସେ କାନ୍ଦିବା ଆରମ୍ଭ କରିଥିଲେ। ନିଜର ଶିଶୁପୁତ୍ରକୁ କାଖରେ ଧରିଥିବା ମାରୁଫା କହିଛନ୍ତି, “ଦିଲ୍ଲୀରେ ମୋ ବାପାଙ୍କ ହାର୍ଟ ବାଇପାସ୍‌ ସର୍ଜରୀ ହୋଇଥିଲା। ନିକଟରେ ଆମେ କଶ୍ମୀର ଫେରିଥିଲୁ। ଏବେ ମେଡିସିନ୍‌ ସରିବା ଆରମ୍ଭ ହୋଇଛି। ତେଣୁ ମୁଁ ମୋ ଭଉଣୀକୁ ମେଡିସିନ୍‌ ବିଷୟରେ କହିଥିଲି।”

ସବୁଠାରୁ ଦୁଃଖଦ ଘଟଣା ମହମ୍ମଦ ଅଶ୍ରଫଙ୍କ ସହ ଘଟିଥିଲା। ସେ ତାଙ୍କ ପୁଅ ହାମସାଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ହମସାଙ୍କ ଜେଜେବାପାଙ୍କ ଦେହାନ୍ତ ଖବର ଦେଇଥିଲେ। ୫ ଦିନ ତଳେ ଅଶ୍ରଫଙ୍କ ବାପାଙ୍କ ଦେହାନ୍ତ ଘଟିଥିଲା। ହେଲେ ହମସା ୫ ଦିନ ପରେ ହିଁ ଏହି ଖବର ପାଇଥିଲେ। ଫୋନରେ ପୁଅକୁ ଏକଥା ଜଣାଇବା ପରେ ଅଶ୍ରଫ ତୁରନ୍ତ ବେହୋସ ହୋଇଯାଇଥିଲେ।

କେବଳ ଅଶ୍ରଫ କିମ୍ବା ମାରୁଫା ନୁହନ୍ତି, ପ୍ରାୟ ଅଧିକାଂଶ ଜମ୍ମୁ-କଶ୍ମୀରବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos