ନୂଆଦିଲ୍ଲୀ: ବର୍ଷା ଅଭାବରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀକୂଳର ଚିନ୍ତା ବଢ଼ାଇ ଦେଇଛି। ଏସବୁ ଭିତରେ ପାଣିପାଗ ବିଭାଗ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଯଦି ଲଘୁଚାପ ସୃଷ୍ଟି ହୁଏ, ତା’ହେଲେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟ କରିବାରେ ସହାୟକ ହେବ। ସେହିପରି ଲଘୁଚାପ ଆସୁଥିଲେ ହେଁ ଅଗଷ୍ଟ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଉତ୍ତର ତାମିଲନାଡୁ ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହପରି ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ଧୀରେଧୀରେ କ୍ଷେତ୍ର ପ୍ରସ୍ତୁତ ହେଉଛି। ଲଘୁଚାପ ସୃଷ୍ଟି ହେଲେ ଏହା ଅଗଷ୍ଟ ୫ରୁ ମୌସୁମୀ ଗତିକୁ ଆହୁରି ତ୍ୱରାନ୍ୱିତ କରିବ।
ଅନ୍ୟପକ୍ଷରେ ଓଡ଼ିଶାର ଏକାଧିକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇ ସ୍ଥାନରେ ଏଭଳି ପାଗ ଦେଖିବାକୁ ମିଳିପାରେ।
ଏହି କାରଣରୁ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଭଳି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।