ଏହି ୬ ଦେଶକୁ କାଲିଠାରୁ କରୋନା ଟିକା ପଠାଇବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀରୁ ପଡ଼ୋଶୀ ରାଷ୍ଟ୍ରକୁ ଉଦ୍ଧାର କରିବାକୁ ସର୍ବଦା ପ୍ରତିଶ୍ରୁତିବଦ୍ଧ ଥିବା ଭାରତ ଏବେ ଏହାକୁ କାମରେ କରାଇ ଦେଖାଇବାକୁ ଯାଉଛି। ଆସନ୍ତାକାଲି ଠାରୁ ଭାରତ ତା’ର ୬ଟି ପଡ଼ୋଶୀ ରାଷ୍ଟ୍ରଙ୍କୁ କରୋନାକୁ ମାତ ଦେଇପାରୁଥିବା ଟିକା ରପ୍ତାନୀ କରିବ।

ବୁଧବାର ଠାରୁ ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ସେଚେଲ୍ସକୁ କରୋନା ଟିକା ପଠାଇବାକୁ ଘୋଷଣା କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ତା’ର ସହଯୋଗୀ ରାଷ୍ଟ୍ରଙ୍କୁ କରୋନା ଟିକା ପଠାଇବ। ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ଟିକାଗୁଡ଼ିକୁ ଅନ୍ୟ ରାଷ୍ଟ୍ର ପଠାଇବାକୁ ନିଷ୍ପତ୍ତି ହୋଇଛି।

କେବଳ ଏହି ୬ଟି ରାଷ୍ଟ୍ର ନୁହେଁ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମରିସସକୁ ମଧ୍ୟ ଟିକା ପଠାଯିବ। ହେଲେ ଉକ୍ତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଆବଶ୍ୟକ ଅନୁମତିପତ୍ର ମିଳି ନାହିଁ। ଆଗାମୀ ଦିନରେ ଅନୁମତି ମିଳିଳେ ଭାରତ ସରକାର ଟିକା ରପ୍ତାନୀ କରିବେ। ଭାରତରେ ତିଆରି ହୋଇଥିବା କରୋନା ଟିକା ନେବାକୁ ଏକାଧିକ ପଡ଼ୋଶୀ ରାଷ୍ଟ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି।

ଏହି ଅନୁରୋଧ ଓ ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ମାନବିକତା ଦୃଷ୍ଟିକୋଣରୁ ଟିକା ରପ୍ତାନୀ କରାଯିବ। ଜାନୁଆରୀ ୨୦ରୁ ହିଁ ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ସେଚେଲ୍ସକୁ କରୋନା ଟିକା ପଠାଯିବ ବୋଲି ମନ୍ତ୍ରଣାଳୟ କହିଛି।

ଭାରତରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦିତ କୋଭିସିଲ୍ଡ ଓ ଭାରତ-ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।