ଖୁଆଡ଼କୁ ଡେଇଁ ସିଂହ ଆଗରେ ବସିଲେ ଯୁବକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଆଜି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ଯୁବକ ସିଂହମାନେ ରହୁଥିବା ଖୁଆଡ଼କୁ ଡେଇଁବା ସହ ବେଶ ଆରମରେ ସେଠାରେ ଥିବା ଗୋଟିଏ ସିଂହ ଆଗରେ ବସି ପଡ଼ିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

ଏସଂକ୍ରାନ୍ତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଯୁବକ ଜଣଙ୍କ ତାର ଜାଲିରେ ତିଆରି ହୋଇଥିବା ଖୁଆଡ଼ ମଧ୍ୟକୁ ଡେଇଁବା ପରେ ସେଠାରେ ଥିବା ସିଂହମାନଙ୍କ ଆଗରେ ବୁଲୁଥିବା ଦେଖିବାକୁ ମିଳୁଛି।

ତେବେ ସେଠାରେ ଥିବା ଚିଡ଼ିଆଖାନାର କର୍ମଚାରୀମାନେ ଯୁବକଙ୍କ ଏହି ହରକତକୁ ଦେଖି ଦେଇଥିଲେ। ଏହାପରେ ସେମାନେ ତୁରନ୍ତ ସିଂହଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରି ପୁଲିସ୍‌ରେ ଜିମା ଦେଇଥିଲେ।

ଯୁବକ ଜଣଙ୍କ ଖୁଆଡ଼ୁ ଡେଇଁବା ବେଳେ ସେଠାରେ ଥିବା ଅନ୍ୟ ପର୍ଯ୍ୟଟକମାନେ ଏହାକୁ ବାରଣ କରିଥିଲେ। ହେଲେ ଯୁବକ ଜଣଙ୍କ କିଛି ନ ଶୁଣି ସିଧା ଖୁଆଡ଼ ମଧ୍ୟକୁ ଡେଇଁ ପଡ଼ିଥିଲେ ଏବଂ ସିଂହ ଆଗରେ ଯାଇ ବସି ପଡ଼ିଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ଯୁବକଙ୍କ ନାଁ ରେହେନା ଖାନ୍‌ ଓ ତାଙ୍କ ଘର ବିହାରରେ। ତାଙ୍କର ମୁଣ୍ଡ ଦୋଷ ଥିବା କୁହାଯାଉଛି। ସେ ଖୁଆଡ଼ ମଧ୍ୟରେ ପ୍ରବେଶ କରିଥିଲେ ହେଁ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଘଟଣାଟି ଆଜି ଦିନ ୧୨.୩୦ରେ ଘଟିଥିଲା। ଏବେ ସ୍ଥିତି ସ୍ୱାଭାବିକ ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଦେଖନ୍ତୁ ଭିଡିଓ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।