ଲକ୍ଷ୍ନୌ: କୃଷ୍ଣ ଜନ୍ମଭୂମିରୁ ଶାହି ଇଦଘା ମସଜିଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ମଥୁରାର ଏକ କୋର୍ଟ ଖାରଜ କରିଦେଇଛନ୍ତି। କୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ମସଜିଦକୁ ହଟାଇବା ପାଇଁ ବିଷ୍ଣୁ ଜୈନ, ହରିଶଙ୍କର ଜୈନ ଓ ରଞ୍ଜନ ଅଗ୍ନିହୋତ୍ରୀ ପ୍ରମୁଖ ଆବେଦନ କରିଥିଲେ। ଆଜି ଶୁଣାଣି ବେଳେ ଏମାନଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରି ମସଜିଦ ଉଚ୍ଛେଦ କରିବାକୁ ନିବେଦନ କରିଥିଲେ।
ତେବେ ସିଭିଲ ଜଜ୍ ସିନିୟର ଡିଭିଜନ ନ୍ୟାୟଳୟ ଏହାକୁ ଖାରଜ କରିଦେଇଛନ୍ତି। ଆସସଷ୍ଟାଣ୍ଟ ଜିଲ୍ଲା ଜଜ୍ ଛାୟା ଶର୍ମା ପ୍ଲେସ ଅଫ ୱରଶିଫ(ସ୍ପେଶାଲ ପ୍ରୋଭିଜନ) ଆକ୍ଟ ୧୯୯୧ ଅନୁଯାୟୀ ଏହି ମାମଲାରେ କୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି।
ଶ୍ରୀକୃଷ୍ଣ ଜନ୍ମଭୂମି ଜନ୍ମଭୂମିର ସମସ୍ତ ୧୩.୩୭ ଏକର ଜମିର ମାଲିକାନା ପାଇଁ ମଥୁରା କୋର୍ଟରେ ଆବେଦନ କରାଯାଇଥିଲା। ଏଥି ସହିତ ଉକ୍ତ ଅଞ୍ଚଳରେ ଥିବା ଇଦଘା ମସଜିଦକୁ ମନ୍ଦିର ନିକଟରୁ ହଟାଇବାକୁ କୁହାଯାଇଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୨୮ରେ ବିଚାରପତି ଛାୟା ଶର୍ମା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ।
ଆବେଦନରେ ୧୯୬୮ ମସିହାରେ ଜମିର ମାଲିକାନାକୁ ନେଇ ହୋଇଥିବା ଚୁକ୍ତିକୁ ମିଥ୍ୟା ବୋଲି କୁହାଯାଇଥିଲା। ଆବେଦନକାରୀ ରଞ୍ଜନ ଅଗ୍ନିହୋତ୍ରୀ କହିଛନ୍ତି ଯେ ଆମେ ଅଯୋଧ୍ୟା ମାମଲାରେ ଲଢ଼େଇ କରି ବିଜୟୀ ହୋଇଥିଲୁ। ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ମୁଖ୍ୟ ଜନ୍ମସ୍ଥାନ ପାଇଁ ଆବେଦନ କରାଯାଇଛି।
ଆବେଦନକାରୀ ବିଷ୍ଣୁ ଜୈନ କହିଛନ୍ତି, ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନର ସମସ୍ତ ୧୩.୨୭ ଏକର ଜମିକୁ ୧୮୧୫ ମସିହାରେ ରାଜା ପାଟନିମାଲ କିଣିଥିଲେ। ଏନେଇ ତାଙ୍କ ପାଖରେ ଦସ୍ତାବିଜ ରହିଛି। ଐତିହାସିକ ଜଦୁନାଥ ସରକାର ଓ ଇଟାଲୀୟ ଭ୍ରମଣକାରୀ ନିକୋଲା ମାନୁଚି ମଧ୍ୟ ଏକଥା କହିଥିଲେ। ସେମାନେ କହିଥିଲେ ଯେ ଜନ୍ମସ୍ଥାନରେ କାଟରା କେଶବ ଦେବ ଠାରେ କୃଷ୍ଣ ମନ୍ଦିର ରହିଥିଲା। ଏହାକୁ ୧୬୭୦ ମସିହାର ଜାନୁଆରୀ/ ଫେବୃଆରୀରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଭାଙ୍ଗି ଦିଆଯାଇଥିଲା। ତେବେ ଏହ ଆବେଦନ ସହ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସଂସ୍ଥାନ ଟ୍ରଷ୍ଟର କୌଣସି ସମ୍ପର୍କ ନଥିବା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ମଥୁରାରେ ଥିବା କୃଷ୍ଣ ଜନ୍ମଭୂମି ମନ୍ଦିର ପାଖରେ ହିଁ ଶାହି ଇଦଘା ମସଜିଦ ରହିଛି। ୧୯୩୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ମସଜିଦ ଯେଉଁ ଜମିରେ ତିଆରି ହୋଇଛି, ତା’ର ମାଲିକାନା ବାରାଣସୀର ଜଣେ ହିନ୍ଦୁ ରାଜାଙ୍କୁ ହସ୍ତାନ୍ତର କରିଥିଲେ। ୧୯୪୪ ମସିହା ଫେବୃଆରୀ ୭ରେ ମଦନ ମୋହନ ମାଲ୍ୟବଙ୍କ ପରାମର୍ଶକ୍ରମେ ଜୁଗଳ କିଶୋର ବିର୍ଲା ରାଜା ପାଟନିମାଲଙ୍କ ବଂଶଧରଙ୍କଠାରୁ କଟରା କେଶବ ଦେବରେ ଥିବା ଜମିକୁ କିଣିଥିଲେ। ୧୯୫୧ ମସିହାରେ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଗଠନ କରି ସେଠାରେ ପୁଣିଥରେ ମନ୍ଦିର ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରଷ୍ଟ ହିଁ ଏହାକୁ ପରିଚାଳନା କରିବ। କିନ୍ତୁ ଟ୍ରଷ୍ଟ ପ୍ରତିଷ୍ଠା ହେବା ପୂର୍ବରୁ ମଥୁରାର କିଛି ମୁସଲିମ ସମ୍ପ୍ରଦାୟର ଲୋକ ୧୯୪୫ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ରାୟ ଆସିବା ବେଳକୁ ୧୯୫୩ ମସିହା ହୋଇ ଯାଇଥିଲା। ଏହାପରେ ହିଁ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର କାର୍ଯ୍ୟ ୧୯୮୨ ମସିହା ଫେବୃଆରୀ ମାସରେ ଶେଷ ହୋଇଥିଲା।
ତେବେ ୧୯୬୪ ମସିହାରେ ଟ୍ରଷ୍ଟ ପକ୍ଷରୁ ସମଗ୍ର ଜମି ଉପରେ ନିଜର ନୟନ୍ତ୍ରଣ ଦଖଲ କରିବା ପାଇଁ ସିଭିଲ୍ କେସ୍ ଦାଖଲ କରାଯାଇଥିଲା। କିନ୍ତୁ ୧୯୬୮ ମସିହାରେ ଉକ୍ତ ସଂସ୍ଥା ମୁସଲିମ ପକ୍ଷ ସହ ଚୁକ୍ତି କରି ନେଇଥିଲା। ଚୁକ୍ତି ପରେ ମୁସଲିମ ପକ୍ଷ ସେମାନଙ୍କ ଜମିରୁ କିଛି ଅଂଶ ମନ୍ଦିର ପାଇଁ ଛାଡ଼ିଥିଲେ ଓ ଏହା ବଦଳରେ ମୁସଲିମ ପକ୍ଷଙ୍କୁ ମନ୍ଦିର ପାଖରେ କିଛି ସ୍ଥାନ ମିଳିଥିଲା। ଯେଉଁଥିରେ ଶାହି ଇଦଘା ମସଜିଦ ରହିଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।