ଶାହଙ୍କ ଗସ୍ତ ପୂର୍ବରୁ ଏମିତି ନିର୍ଦ୍ଦେଶ ଦେଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଆସନ୍ତାକାଲି ଠାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗକୁ ଦୁଇ ଦିନ ପାଇଁ ଯିବେ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଯେମିତି କୌଣସି ଢିଲା ନ ହୁଏ, ତା’ର ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ ଆକ୍ରମଣ ହେବା ପରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏସବୁ ଭିତରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପଶ୍ଚିମବଙ୍ଗର ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିଛନ୍ତି। ବୈଠକ ବେଳେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଡିଜିପି ଓ ମୁଖ୍ୟ ଶାସନ ସଚିବ ବିସ୍ତୃତ ସୂଚନା ଦେଇଛନ୍ତି।

ଦୀର୍ଘ ଗୋଟିଏ ଘଣ୍ଟା ଧରି ଚାଲିଥିବା ଭର୍ଚୁଆଲ ବୈଠକ ବେଳେ ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଆଲର୍ଟରେ ରହିଛି। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ୟରେ ଘଟୁଥିବା ପ୍ରତିଟି ଘଟଣା ଉପରେ ପୁଲିସ ଉପଯୁକ୍ତ ପଦକ୍ଷେପ ନେଉଛି।

ଯଦି ଜେପି ନଡ୍ଡାଙ୍କ କନଭୟ ଉପରେ ଆକ୍ରମଣ ଘଟଣାକୁ ବିଚାରକୁ ନିଆଯାଏ, ତା’ହେଲେ ପୁଲିସ୍‌ ଏହାର ତଦନ୍ତ କରୁଛି। ଏଥିସହ ଉକ୍ତ ଘଟଣା ବେଳେ ସେଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସ୍‌ ମଧ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଯେମିତି କୌଣସି ଅଘଟଣ ନ ଘଟିବ, ସେଥିପାଇଁ ପୁଲିସ୍‌ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥିବା ଡିଜିପି ଓ ମୁଖ୍ୟ ଶାସନ ସଚିବ ବୈଠକ ବେଳେ କହିଛନ୍ତି।

ତେବେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯିବେ। ଏହି ସମୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ଯେମିତି କୌଣସି ଅଘଟଣ ନ ଘଟିବ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମଧ୍ୟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।