ଲକ୍ଷାଧିକ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌!

ନୂଆଦିଲ୍ଲୀ: ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଆଉ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଲକ୍ଷାଧିକ ଏୟାରଟେଲ୍‌ ସିମ୍‌ ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାଙ୍କ ନମ୍ବର ସହ ଆଧାର ତଥ୍ୟ ଗୋଟିଏ ୱେବ୍‌ ସାଇଟ୍‌ରେ ଲିକ୍‌ ହୋଇଛି। ଏଥିରେ ବ୍ୟକ୍ତି ବିଶେଷମାନଙ୍କର ଠିକଣା, ସହର, ଘରର ନାଁ, ଆଧାର କାର୍ଡ ନମ୍ବର ଓ ଲିଙ୍ଗ ଭଳି ତଥ୍ୟ ରହିଛି। ଏହି ତଥ୍ୟ ଲିକ୍‌ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

ଖବର ଅନୁସାରେ, ହ୍ୟାକ୍‌ରମାନେ ପ୍ରଥମ ପର୍ଯ୍ୟାୟରେ ୨.୫ ମିଲିୟନ ଏୟାରଟେଲ୍‌ ଉପଭୋକ୍ତାଙ୍କ ତଥ୍ୟ ସାର୍ବଜନୀନ କରିଛନ୍ତି। କିନ୍ତୁ ସେମାନେ ଭାରତରେ ଥିବା ସମସ୍ତ ଏୟାରଟେଲ ଉପଭୋକ୍ତାଙ୍କ ତଥ୍ୟ ରଖିଛନ୍ତି ଓ ଏହାକୁ ବିକ୍ରି କରିବାକୁ ଚାହୁଁଥିବା କହିଛନ୍ତି। ଏହି ସୂଚନାକୁ ଇଣ୍ଟରନେଟ୍‌ ସିକ୍ୟୁରିଟି ରିସର୍ଚ୍ଚର ରାଜଶେଖର ରାଜହରିଆ ଠାବ କରିଛନ୍ତି।

ହ୍ୟାକ୍‌ରମାନେ ଏୟାରଟେଲ ନମ୍ବର ଠାବ କରିବା ପରେ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ତଥ୍ୟ ଲିକ୍‌ ରୋକିବାକୁ ହେଲେ ଏୟାରଟେଲ ସେମାନଙ୍କୁ ୩୫୦୦ ଡଲାରକୁ ବିଟକଏନ ଆକାରରେ ଦେବାକୁ ଧମକ ଦେଇଥିଲେ। ତେବେ ଏୟାରଟେଲ କର୍ତ୍ତୃପକ୍ଷ ଏଥିରେ ରାଜି ନ ହେବାରୁ ହ୍ୟାକରମାନେ ୱେବରେ‌ ତଥ୍ୟ ବିକ୍ରି କରିବାକୁ ବିଜ୍ଞାପନ ଦେଇଛନ୍ତି। ଉଦାହାରଣ ସ୍ୱରୂପ ସେମାନେ ପ୍ରଥମ ପର୍ଯ୍ୟାୟରେ ୨.୫ ମିଲିୟନ ଏୟାରଟେଲ ଉପଭୋକ୍ତାଙ୍କ ତଥ୍ୟକୁ ଲିକ୍‌ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏୟାରଟେଲ ସିଷ୍ଟମ କିମ୍ବା ସର୍ଭରରୁ ଏହି ତଥ୍ୟ ଲିକ ହୋଇନାହିଁ। ସୁରକ୍ଷା ପାଇଁ ସରକାର ଲୋକଙ୍କ ତଥ୍ୟ ରଖିଥାଆନ୍ତି। ସେହି ସର୍ଭରରୁ ଏହା ଲିକ୍‌ ହୋଇଥିବା ଅନୁମାନ କରାଯାଉଛି। କାରଣ ଲିକ୍‌ ହୋଇଥିବା ସମସ୍ତ ୨୫ ଲକ୍ଷ ଏୟାରଟେଲ ନମ୍ବର ଜମ୍ମୁ-କଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଛି।

ରାଜଶେଖରଙ୍କ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୧ରେ ହ୍ୟାକରମାନେ ୨.୫ ମିଲିୟନ ଉପଭୋକ୍ତାଙ୍କ ନମ୍ବର ସହ ବ୍ୟକ୍ତିଗତ ତଥ୍ୟକୁ ସାମ୍ପୁଲ ଭାବେ ଲିକ୍ କରିଥିଲେ। ଏହା ପୂର୍ବରୁ ସେମାନେ ଟଙ୍କା ମାଗିଥିଲେ ହେଁ କମ୍ପାନୀ ଏଥିରେ ରାଜି ହୋଇ ନଥିଲେ। ତେଣୁ ସେମାନେ ରାଗି ଯାଇ ତଥ୍ୟକୁ ଲିକ କରିଛନ୍ତି।
ଲିକ୍‌ ହୋଇଥିବା ସମସ୍ତ ଏୟାରଟେଲ ନମ୍ବର ଜମ୍ମୁ-କଶ୍ମୀର ରିଜନର। ଏହାର ସତ୍ୟାସତ୍ୟ ଜାଣିବାକୁ ଟ୍ରୁକଲରରେ ନମ୍ବରଗୁଡ଼ିକୁ ଫୋନ କରାଯାଇଥିଲା।
ଲିକ୍ ତଥ୍ୟରେ ଥିବା ନାଁ ସହ ଡାଏଲ ନମ୍ବର ମଧ୍ୟ ମେଳ ଖାଉଛି। ଏୟାରଟେଲ କମ୍ପାନୀ ଓ ହ୍ୟାକରଙ୍କ ମଧ୍ୟରେ ୩ଥର ତଥ୍ୟ ଲିକ୍‌ ସମ୍ପର୍କରେ ଇ-ମେଲ ଯୋଗେ କଥାବାର୍ତ୍ତା ମଧ୍ୟ ହୋଇଥିବା ରାଜଶେଖର କହିଛନ୍ତି।


ତଥ୍ୟ ଲିକ୍‌କୁ ନେଇ ହଇଚଇ ହେବାରୁ ଏୟାରଟେଲ ନିଜ ସଫେଇରେ କହିଛି ଯେ ଉପଭୋକ୍ତାଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ସର୍ବଦା କାର୍ଯ୍ୟ କରି ଆସୁଛି। ଏହି ଘଟଣାରେ କମ୍ପାନୀ ଏତିକି କହିବାକୁ ଚାହୁଁଛି ଯେ ଆମ ତରଫରୁ କୌଣସି ପ୍ରକାରର ତଥ୍ୟ ଲିକ୍ କରାଯାଇ ନାହିଁ।

ହ୍ୟାକରମାନେ କେବଳ ଏୟାରଟେଲ ନୁହେଁ, ଅନ୍ୟ କିଛି କମ୍ପାନୀର ନମ୍ବରକୁ ମଧ୍ୟ ହ୍ୟାକ କରିଛନ୍ତି। ଆମେ ଏ ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛୁ ବୋଲି କମ୍ପାନୀ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।