ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ: ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ହେବା ଅଭିଯୋଗ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏହାପୂର୍ବରୁ ଇଡି ବିହାର ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିଥିବା ସୁଶାନ୍ତଙ୍କ ବାପାଙ୍କ ଏଫଆଇଆର କପି ମଗାଇଥିଲା। ଏଥିସହ ସୁଶାନ୍ତଙ୍କ ସବୁ ଆକାଉଣ୍ଟର ବିସ୍ତୃତ ତଥ୍ୟ ମଧ୍ୟ ଇଡି ଛାନଭିନ କରିଥିଲେ।

ଏହାପରେ ୧୫ କୋଟି ଟଙ୍କା ଗାଏବ ଘଟଣାକୁ ନେଇ ଇଡି ମାମଲା ରୁଜୁ କରିଛି। ଇଡି ପକ୍ଷରୁ ଇସିଆଇଆର ରୁଜୁ କରାଯାଇଛି। ସେହିପରି ସନ୍ଦେହ ଘେରରେ ଥିବା ଲୋକଙ୍କୁ ଇଡି ସମନ ମଧ୍ୟ କରିବ। ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇଛି।

ବିହାର ପୁଲିସ୍‌ ନିକଟରେ ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ। କେକେ ସିଂହଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଜଣଙ୍କ ଆକାଉଣ୍ଟକୁ ୧୫ କୋଟି ଟଙ୍କା ପଠାଯାଇଛି। ଏହି ୩ଟି ଯାକ ଆକାଉଣ୍ଟ ସହ ରିୟାଙ୍କ ସମ୍ପର୍କ ରହିଛି। ଗୋଟିଏ ଆକାଉଣ୍ଟ ରିୟାଙ୍କର ହୋଇଥିବା ବେଳେ ଆଉ ଗୋଟିଏ ତାଙ୍କ ଭାଇଙ୍କର ଓ ଅନ୍ୟଟି ମା’ଙ୍କର ବୋଲି ଅଭିଯୋଗ ହୋଇଛି।

ସେହିପରି ରିୟାଙ୍କ ପରାମର୍ଶ କ୍ରମେ ସୁଶାନ୍ତ ୩ଟି ଷ୍ଟାର୍ଟଅପରେ ମଧ୍ୟ ପୁଞ୍ଜିନିବେଶ କରିଥିଲେ। ରିୟା ଓ ତାଙ୍କ ଭାଇ ଶୋୱିକ ଏହି ୩ଟି ଯାକ ଷ୍ଟାର୍ଟଅପର ନିର୍ଦ୍ଦେଶକ ରହିଛନ୍ତି। ଏହି ୩ଟି କମ୍ପାନୀ ମଧ୍ୟରୁ ଦୁଇଟିର ଠିକଣା ଉଲେୱରେ ଥିବା ଏକ ଫ୍ଲାଟ ମଧ୍ୟରେ ରହିଛି। ଏହି ଫ୍ଲାଟର ମାଲିକ ହେଉଛନ୍ତି ରିୟାଙ୍କ ବାପା। ମୁମ୍ବାଇ ପୁଲିସ୍‌ ତଦନ୍ତ ବେଳେ ଏହା ସାମ୍ନାକୁ ଆସିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।