ସରକାର ମାନିଲେ: ୧୯୬୨ ପରେ ଚାଇନା ସହ ଲଦାଖରେ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚାଇନା ସହ ସୃଷ୍ଟି ହୋଇଥିବା ତିକ୍ତତା ୧୯୬୨ ପରେ ଆଉ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ବୋଲି ଆଜି ଭାରତ ସରକାର କହିଛନ୍ତି। ୧୯୬୨ରେ ଭାରତ ଓ ଚାଇନାର ଯୁଦ୍ଧ ହୋଇଥିଲା। ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବେ ସେଭଳି ସ୍ଥିତି ସୃଷ୍ଟି ହୋଇଥିବା କଥା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜୟଶଙ୍କର କହିଛନ୍ତି, ନିଶ୍ଚିତ ପକ୍ଷେ ଲଦାଖରେ ଯାହା ଚାଲିଛି, ତାହା ଅତ୍ୟନ୍ତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ୧୯୬୨ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୪୫ ବର୍ଷ ପରେ ସୀମାରେ ଯବାନ ମୃତାହତ ହୋଇଛନ୍ତି। ଏବେ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରାଯାଇଛି।

ଏହା ବହୁତ କମ ଦେଖିବାକୁ ମିଳେ। ସୀମାରେ ଏତେ ସଂଖ୍ୟକ ଯବାନ ମୁତୟନ ହେବା ଗୋଟିଏ ଅଭୂତପୂର୍ବ ଘଟଣା। ଭାରତ ସର୍ବଦା ଶାନ୍ତିରେ ବିଶ୍ୱାସ କଲେ। ଏକଥା ଚାଇନାକୁ ମଧ୍ୟ ଭାରତ ଅବଗତ କରାଇ ସାରିଛି। ଭାରତ ଓ ଚାଇନା ସେନା ଦୀର୍ଘ ୩ ବର୍ଷ ମଧ୍ୟରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି।

ବିବାଦର ସମାଧାନ ପାଇଁ କୂଟନୀତିକ ଓ ସାମରିକ ସ୍ତରୀୟ ଆଲୋଚନା ମଧ୍ୟ ଚାଲିଛି। ପୂର୍ବରୁ ସୀମା ବିବାଦ କୂଟନୀତିକ ଆଲୋଚନା ଦ୍ୱାରା ସମାଧାନ କରାଯାଇଥିଲା। ଆପଣ ଯଦି ଅତୀତକୁ ଦେଖିବେ, ତା’ହେଲେ ଦେପସାଙ୍ଗ, ଛୁମାର ଓ ଡୋକଲାମ ଭଳି ସ୍ଥାନରେ ସୀମା ବିବାଦ ଦେଖିବାକୁ ମିଳିଥିଲା। ତେବେ ସବୁ କିଛି ଆଲୋଚନା ଦ୍ୱାରା ସମାଧାନ କରାଯାଇଥିଲା। ଏବେ ବି ସବୁ କିଛି ସାମାଧାନ ହେବ ବୋଲି ଜୟଶଙ୍କର ଦମ୍ଭୋକ୍ତି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।