ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ ଦାଉଦ: ଥିଲା ୩ଟି ସର୍ତ୍ତ
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ତଥା ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ। ଏବେ ପାକିସ୍ତାନର କରାଚୀରେ ଥିଲେ ମଧ୍ୟ ଦାଉଦ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ହେଲେ ଏମିତି ବି ଦିନ ଆସିଥିଲା ଯେବେ ଦାଉଦ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ୩ଟି ସର୍ତ୍ତ ରଖିଥିଲା। ଏକଥା ଆଉ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏମ୍.ଏନ୍. ସିଂହ କହିଛନ୍ତି।
ଏକ ସାକ୍ଷାତକାରରେ ସିଂହ କହିଛନ୍ତି, “ଦାଉଦ ଭାରତ ଫେରିବାକୁ ଚାହୁଁଥିଲା। ଏଥିପାଇଁ ସେ ରାମ ଜେଠମଲାନିଙ୍କ ସହ ସମ୍ପର୍କ କରିଥିଲା। ସେ ସମୟରେ ରାମ ଜେଠମଲାନିଙ୍କ ସୂଚନା ନେଇ ମହେଶ ଜେଠମଲାନି ମୋ ପାଖକୁ ଆସିଥିଲେ। ସେ କହିଥିଲେ ଦାଉଦ ଆତ୍ମସମର୍ପଣ କରିବାକୁ ଚାହୁଁଛି ଓ ଏଥିପାଇଁ ସେ ୩ଟି ସର୍ତ୍ତ ରଖିଛି।”
ଦାଉଦର ସର୍ତ୍ତ
୧. ମୁମ୍ବାଇ ପୋଲିସ୍ ମୋତେ ଏନ୍କାଉଣ୍ଟର କରିବ ନାହିଁ।
୨. ମୋ ଉପରେ କେବଳ ମୁମ୍ବାଇ ବ୍ଲାଷ୍ଟର କେସ୍ ଚାଲିବ।
୩. ମୋତେ ଜେଲ୍ରେ ରଖା ନଯାଇ ହାଉସ୍ ଆରେଷ୍ଟରେ ରଖାଯିବ।
ସିଂହ କହିଛନ୍ତି, “ମୁଁ ଦାଉଦର ପ୍ରଥମ ସର୍ତ୍ତ ମାନି ନେଇଥିଲି। ଅନ୍ୟ ଦୁଇଟି ସର୍ତ୍ତ ପୂରଣ ପାଇଁ ସରକାରଙ୍କ ସହ କଥା ହେବାକୁ କହିଥିଲି। ଏହାପରେ ମୁଁ ଅନ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲି। ମୋତେ ଯେତେବେଳେ ମୋର ରାୟ ମଗାଗଲା, ମୁଁ ଅନ୍ୟ ଦୁଇ ସର୍ତ୍ତ ମାନିବାକୁ ମନା କରିଦେଇଥିଲି। ପରେ ସରକାର ମଧ୍ୟ ଦାଉଦର ସର୍ତ୍ତକୁ ଗ୍ରହଣ କରି ନଥିଲେ।”
ସେ ଆହୁରି କହିଛନ୍ତି, ଦାଉଦକୁ ଭୁଲିଯିବା ଦରକାର। ହେଲେ ସେ କରିଥିବା ଅପରାଧକୁ ନୁହେଁ। ଦାଉଦର ସମ୍ପତ୍ତିକୁ ବିକ୍ରି କରିବାର କିଛି ଆବଶ୍ୟକତା ନାହିଁ। ଏହାକୁ ଜନହିତକର କାର୍ଯ୍ୟରେ ଲଗାଯାଇ ପାରିବ। ସେଠାରେ ମେଡିକାଲ ନ ହେଲେ ପୋଲିସ୍ ଷ୍ଟେସନ ନିର୍ମାଣ କରାଯାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।