ଭାରତର ଆକଳନ ଅନୁଯାୟୀ ୮୬ ସେମି ଅଧିକ ଉଚ୍ଚ ମାଉଣ୍ଟ ଏଭରେଷ୍ଟ

କାଠମାଣ୍ଡୁ: ନେପାଳ ଓ ଚାଇନା ପକ୍ଷରୁ ମିଳିତ ଭାବେ ସର୍ଭେ କରାଯାଇ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟର ପ୍ରକୃତ ଉଚ୍ଚତା ସମ୍ପର୍କରେ ଘୋଷଣା କରାଯାଇଛି। ସେମାନଙ୍କ ଘୋଷଣା ଅନୁଯାୟୀ, ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮,୮୪୮.୮୬ ମିଟର ରହିଛି। ଶେଷଥର ପାଇଁ ଭାରତ ୧୯୫୪ରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲା। ଏହି ସମୟରେ କୁହାଯାଇଥିଲା ଯେ ଏହାର ଉଚ୍ଚତା ୮,୮୪୮ ମିଟର। ହେଲେ ଏବେ ଭାରତର ତଥ୍ୟ ତୁଳନାରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଅଧିକ ୦.୮୬ ମିଟିର ବା ୮୬ ସେମି ଅଧିକ ରହିଛି।

୨୦୧୫ ଭୂକମ୍ପ ଓ ଅନ୍ୟାନ୍ୟ କାରଣରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି ବୋଲି ସାଧାରଣରେ ଧାରଣା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଥିଲେ। ନେପାଳର ଏହି ମାପଚୁପରେ ଚାଇନା ମଧ୍ୟ ସାମିଲ ହେବ ବୋଲି ଘୋଷଣା କରିଥିଲା।

ଉଭୟ ଦେଶ ନିକଟରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲେ। ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୟାୱାଲି କହିଛନ୍ତି, ନେପାଳ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ପୁନଃ ମାପ କରାଯାଇଥିଲା। ଏବେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତର ଉଚ୍ଚତା ୮,୮୪୮.୮୬ ମିଟର ରହିଛି। ୧୯୫୪ରେ ସର୍ଭେ ଅଫ ଇଣ୍ଡିଆ ଏଭରେଷ୍ଟକୁ ମାପିଥିଲା।

ଏହି ସମୟରେ ଏହା ଉଚ୍ଚତା ୮୮୪୮ ମିଟର ରହିଥିଲା। ସେହିପରି ଚାଇନା କରିଥିବା ମାପଚୁପ ବେଳେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮.୪୩ ମିଟର ରହିଥିଲା। ଚାଇନା ୧୯୭୫ ଓ ୨୦୦୫ରେ ଦୁଇଥର ମାଉଣ୍ଟ ଏଭରେଷ୍ଟକୁ ମାପିଥିଲା। ୧୯୭୫ରେ ଏହା ୮୮୪୮.୧୩ ମିଟର ଓ ୨୦୦୫ରେ ୮୮୪୮.୪୩ ମିଟର ରହିଥିବା କୁହାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।