ନାରଦା ଷ୍ଟିଙ୍ଗ ଅପରେସନ୍‌: ବିଜେପି ନେତା ମୁକୁଲ ରୟଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଆଜି ବିଜେପି ନେତା ମୁକୁଲ ରୟଙ୍କୁ ହାଜର ପାଇଁ ସମନ ପଠାଇଛି। ସମନ ପରେ ମୁକୁଲ ରୟଙ୍କ ପ୍ରତିନିଧି ସିବିଆଇ ଅଧିକାରୀଙ୍କୁ ସାକ୍ଷତ କରିବା ସହ ହାଜର ହେବା ପାଇଁ ଆଉ କିଛି ସମୟ ମାଗିଥିଲେ। ହେଲେ ସିବିଆଇ ତାଙ୍କୁ ଶନିବାର ହାଜର ହେବାକୁ କହିଛି।

ଟିଏମସି ଛାଡ଼ି ବିଜେପିରେ ମିଶିଥିବା ମୁକୁଲ ରୟଙ୍କ ପ୍ରତି ସିବିଆଇ ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଏହି ମାମଲାରେ ୨୦୧୯ ଅଗଷ୍ଟ ୧୮ରେ ସିବିଆଇ ମୁକୁଲ ରୟଙ୍କୁ ବିଭିନ୍ନ ସଂକ୍ରାନ୍ତରେ ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ୨୦୧୬ ମସିହା ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ଆଇପିଏସ୍‌ ଏସ୍‌ଏଚଏମ ମିର୍ଜାଙ୍କୁ ସୋମବାର ଯାଏ କୋର୍ଟ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି।

ଆସନ୍ତାକାଲି ମୁକୁଲ ରୟ କୋଲକାତା ସ୍ଥିତ ସିବିଆଇ ଅଫିସରେ ହାଜର ହେବା ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି। ଆଇପିଏସ୍‌ ମିର୍ଜା ଓ ଏକାଧିକ ଟିଏମସି ନେତା ବ୍ୟାପ ଲାଞ୍ଚ ନେଉଥିବା ନାରଦା ଷ୍ଟିଙ୍ଗ ଅପରେସ ଦ୍ୱାରା ସାମ୍ନାକୁ ଆସିଥିଲା।

ଏହି ଘଟଣା ବେଳେ ମୁକୁଲ ରୟ ଟିଏମସି ନେତା ଥିଲେ। ଘଟଣାର ତଦନ୍ତ କରୁଥିବା ସିବିଆଇ ଆଇପିଏସ୍‌ ମିର୍ଜାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସିବିଆଇକୁ ନିଜ ଉତ୍ତରରେ ସନ୍ତୁଷ୍ଟ କରିପାରି ନଥିଲେ। ସେ ଟଙ୍କା ନେଇଥିବା ନେଇ କିଛି ଉତ୍ତର ରଖିନଥିଲେ। ଏହି ଟଙ୍କା କାରବାରରେ ମିର୍ଜା ସଂଶ୍ଲିଷ୍ଟ ଥିବା ସାକ୍ଷୀ ଓ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ନାରଦା ନ୍ୟୁଜ୍‌ର ସିଇଓ ମାଥ୍ୟୁ ସାମୁଏଲ୍ସ ମଧ୍ୟ ମିର୍ଜାଙ୍କ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏହି ଷ୍ଟିଙ୍ଗ ଅପରେସନ୍‌ ୨୦୧୪ ମସିହାରେ କରାଯାଇଥିଲା ଏବଂ ୨୦୧୬ ମସିହାରେ ଭିଡିଓ ସାମ୍ନାକୁ ଆସିଥିଲା। କିଛି ତୃଣମୂଳ କଂଗ୍ରେସ ନେତା ମଧ୍ୟ ଏହି ମାମଲାରେ ସିବିଆଇ ସ୍କାନର୍‌ରେ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।