ପଡ଼ୋଶୀକୁ ମାରି ହାର୍ଟକୁ ତରକାରୀ କଲା, ଯାହାଙ୍କୁ ଖାଇବାକୁ ଦେଲା ତାଙ୍କୁ ବି ମାରିଲା

ଲରେନ୍ସ ପଲ ଆଣ୍ଡରସନ ତା’ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ପ୍ରଥମେ ଆକ୍ରମଣ କରିଥିଲା।

ୱାଶିଂଟନ: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପ୍ରଥମେ ନିଜ ପଡ଼ୋଶୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ହାର୍ଟ ବା ହୃତ୍‌ପିଣ୍ଡକୁ ବାହାର କରିଥିଲା। ଏହାପରେ ଏହାକୁ ଆଳୁରେ ମିଶାଇ ତରକାରୀ କରିଥିଲା ଓ ନିଜ ସଂପର୍କୀୟଙ୍କୁ ଖାଇବାକୁ ଦେଇଥିଲା। ତା’ପରେ ସେମାନଙ୍କୁ ବି ଆକ୍ରମଣ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆମେରିକାର ଓକଲାହୋମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଲରେନ୍ସ ପଲ ଆଣ୍ଡରସନ ତା’ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ପ୍ରଥମେ ଆକ୍ରମଣ କରିଥିଲା। ଏଥିରେ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇବାରୁ ସେ ତାଙ୍କ ଶରୀରରୁ ହାର୍ଟଟିକୁ କାଟି ବାହାର କରିଦେଇଥିଲା।

ଏହି ହାର୍ଟକୁ ଧରି ସେ ନିଜ ଦାଦାଙ୍କ ଘରକୁ ଯାଇଥିଲା। ସେଠାରେ ହାର୍ଟକୁ ଆଳୁ ପକାଇ ଏହାକୁ ଭଲ ଭାବେ ରାନ୍ଧି ତରକାରୀ ପ୍ରସ୍ତୁତ କରିଥିଲା। ଏହି ତରକାରୀକୁ ଦାଦା, ଖୁଢ଼ୀ ଓ ତାଙ୍କର ୪ ବର୍ଷୀୟ ନାତୁଣୀଙ୍କୁ ଖାଇବାକୁ ଦେଇଥିଲା। ସେମାନେ ଏହାକୁ ଖାଇଛନ୍ତି କି ନାହିଁ, ସେ ବିଷୟରେ ଉକ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ନାହିଁ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆଣ୍ଡରସନ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦାଦା, ଖୁଢ଼ୀ ଓ ତାଙ୍କର ୪ ବର୍ଷୀୟ ନାତୁଣୀଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲା। ଏଥିରେ ଦାଦା ଓ ୪ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏବେ ବି ମହିଳା ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଘଟଣା ସମ୍ପର୍କରେ ଖବର ପାଇ ଆଣ୍ଡରସନକୁ ଗିରଫ କରିଛି।

ପୁଲିସ କହିଛି ଯେ ଆଣ୍ଡରସନ ପୂର୍ବରୁ ଏକାଧିକ ଥର ଗିରଫ ହୋଇଥିଲା। ନିକଟରେ ତା’କୁ ଓକଲାହୋମ ଗଭର୍ଣ୍ଣରଙ୍କ ସହ ଯୋଗାଯୋଗ କରାଯାଇ ଜେଲ୍‌ରୁ ମୁକ୍ତି ଦିଆଯାଇଥିଲା। ସେ ୨୦୧୭ରେ ଗୋଟିଏ ଡ୍ରଗ୍ସ କେସ୍‌ରେ ୨୦ ବର୍ଷର ଜେଲଦଣ୍ଡ ପାଇଥିଲା। ଏବେ ଗିରଫ ପରେ ଆଣ୍ଡରସନ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।