ହାଇଦ୍ରାବାଦ: ଲୋକସଭା ସାଂସଦ ତଥା ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମଙ୍ଗଳବାର ମମତା ବାନାର୍ଜୀ ପରୋକ୍ଷରେ ଏଆଇଏଏମଆଇଏମକୁ ବିଜେପିର ବି ଟିମ୍ ବୋଲି କହିଥିଲେ। ଏଥିସହ ସେ କହିଥିଲେ ଯେ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ ବିଭାଜନ କରିବାକୁ ବିଜେପି ହାଇଦ୍ରାବାଦର ଗୋଟିଏ ଦଳକୁ ଟଙ୍କା ଦେଉଛି।
ମମତା ପରୋକ୍ଷରେ ଏଆଇଏଏମଆଇଏମକୁ ଟାର୍ଗେଟ କରିଥିବାରୁ ଆଜି ଓୱେସୀ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁସଲିମ ଭୋଟର ତାଙ୍କ(ମମତା ବାନାର୍ଜୀ) ଜାଗିର ବା ସମ୍ପତ୍ତି ନୁହନ୍ତି।
ହାଇଦ୍ରାବାଦ ସାଂସଦ ଓୱେସୀ ଟ୍ୱିଟ କରି କହିଛନ୍ତି, “ଆପଣ ଆଜି ଯାଏ କେବଳ ଆଜ୍ଞାଧିନ ମୀର ଜାଫର ଓ ସଦ୍ଦିକମାନଙ୍କୁ ଦେଖିଛନ୍ତି। ଆପଣ କେବେହେଲେ ଯେଉଁ ମୁସଲିମାନେ ନିଜ କଥା କୁହନ୍ତି ଓ ନିଜ ବିଷୟରେ ଭାବନ୍ତି, ସେମାନଙ୍କୁ ପସନ୍ଦ କରନ୍ତି ନାହିଁ। ଆପଣ ବିହାରରେ ଥିବା ଆମ ଭୋଟର ମାନଙ୍କୁ ଅପମାନିତ କରିଛନ୍ତି।
ବିହାରରେ ଯେଉଁ ଦଳଗୁଡ଼ିକ ଭୋଟ ବିଭାଜନ କଥା କହୁଥିଲେ, ସେମାନଙ୍କ ଅବସ୍ଥା କ’ଣ ହେଲା ସେକଥା ଆପଣ ଭଲ ଭାବେ ଜାଣିଛନ୍ତି। ମୁସଲିମ ଭୋଟର ତୁମ ଜାଗିର ନୁହନ୍ତି।”
ଓୱେସୀ ଆହୁରି କହିଛନ୍ତି, ଦୁନିଆରେ ଏମିତି କେହି ଜନ୍ମ ହୋଇନାହାନ୍ତି, ଯିଏ ଓୱେସୀକୁ ଟଙ୍କା ଦେଇ କିଣି ପାରିବ। ମମତାଙ୍କ ଅଭିଯୋଗ ଭିତ୍ତିହୀନ ଓ ସେ ବ୍ୟତିବ୍ୟସ୍ତ। ସେ ବର୍ତ୍ତମାନ ନିଜ ଘରକୁ ନେଇ ଚିନ୍ତାରେ ଅଛନ୍ତି। କାରଣ ତାଙ୍କ ଦଳର ଲୋକ ବିଜେପିକୁ ଯାଉଛନ୍ତି। ସେ ଆମକୁ ଭୋଟ ଦେଇଥିବା ବିହାରର ଭୋଟରକୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି।
ମମତା ମଙ୍ଗଳବାର କହିଥିଲେ ଯେ ବିଜେପି ଏବେ ସଂଖ୍ୟାଲଘୁ ଭୋଟରଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ବିଜେପି ହାଇଦ୍ରାବାଦର ଗୋଟିଏ ଦଳ ସହ ହାତ ମିଳାଇଛି। ବିଜେପି ଟଙ୍କା ଦେଉଛି ଓ ଉକ୍ତ ଦଳ ଭୋଟ ବିଭାଜନ କରୁଛି। ବିହାର ନିର୍ବାଚନ ଏହା ପ୍ରମାଣିତ କରିଛି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।