ମେହବୁବାଙ୍କ ଜାତୀୟ ପତାକା ବୟାନରୁ ନିଜକୁ ଦୂରେଇ ରଖିଲା ନ୍ୟାଶନାଲ କନଫରେନ୍ସ

ନୂଆଦିଲ୍ଲୀ: ପିଡିପି ମୁଖ୍ୟ ମେହବୁବା ମୁଫତି ଦେଶର ଜାତୀୟ ପତାକା ଉଡ଼ାଇବେ ନାହିଁ ବୋଲି ଦେଇଥିବା ବୟାନକୁ ନେଇ ବିବାଦ ତୀବ୍ର ହୋଇଛି। ଆଜି ଜମ୍ମୁରେ ଏହାକୁ ଶତାଧିକ ଲୋକ ବିରୋଧ କରି ବିକ୍ଷୋଭ କରିଛନ୍ତି। ବିବାଦ ବଢ଼ୁଥିବାରୁ ନ୍ୟାଶନାଲ କନଫରେନ୍ସ ମଧ୍ୟ ଏହି ବୟାନରୁ ନିଜକୁ ଦୂରେଇ ରଖିଛି।

ନିକଟରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବା ଓ ବିଜେପି ବିରୋଧରେ ଲଢ଼େଇ କରିବା ପାଇଁ ମେହବୁବାଙ୍କ ପିଡିପି ସହ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ହାତ ମିଳାଇଥିଲା। ହେଲେ ମେହବୁବାଙ୍କ ଜାତୀୟ ପତାକା ବୟାନରୁ ଫାରୁକଙ୍କ ଦଳ ନିଜକୁ ଦୂରେଇ ରଖିଛି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ ନ ହେବା ଯାଏ ଓ କଶ୍ମୀରର ସ୍ୱତନ୍ତ୍ର ପତାକା ନ ଆସିବା ଯାଏ ପିଡିପି ଜାତୀୟ ପତାକା ଉଡ଼ାଇବ ନାହିଁ ବୋଲି ମେହବୁବା କହିଥିଲେ। ଏହାପରେ ସହଯୋଗୀ ନ୍ୟାଶନାଲ କନଫରେନ୍ସକୁ ଏହା ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା।

ନ୍ୟାଶନାଲ କନଫରେନ୍ସର ନେତା ଦେବେନ୍ଦ୍ର ସିଂହ ରାଣା କହିଛନ୍ତି, “ଦଳ କେବେ ହେଲେ ଦେଶ ବିରୋଧରେ ଯାଇ ନାହିଁ। ନ୍ୟାଶନାଲ କନଫରେନ୍ସ କେବେ ହେଲେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ସହ କୌଣସି ବୁଝାମଣା କରିପାରିବ ନାହିଁ।

ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ସବୁବେଳେ ସବୁଠୁ ଉପରେ। ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା ବେଳେ ଜମ୍ମୁରେ ଥିବା ଦଳୀୟ ନେତାମାନେ ମେହବୁବାଙ୍କ ବୟାନ ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଗୁପକର ମେଣ୍ଟରେ ଥିବା ନେତାମାନେ ଦେଶର କ୍ଷତି କରିବା ଭଳି ବୟାନ ଦେବେ ନାହିଁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।