ବେଜିଂ: ସମଗ୍ର ବିଶ୍ୱ ଚୀନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଦ୍ୱାରା କଲବଲ ହେଉଥିବା ବେଳେ ଏବେ ଆଉ ଏକ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି। କରୋନା ଯେଉଁ ଚାଇନାରୁ ସୃଷ୍ଟି ହୋଇଥିଲା ଏବେ ସେଠାରେ ଏକ ଟିଙ୍କବାହୀ ଭୂତାଣୁ ନୂଆ ଆତଙ୍କ ସୃଷ୍ଟି କରିଛି। ପଶୁଙ୍କପକ୍ଷୀଙ୍କ ଦେହରେ ଲାଗି ସେମାନଙ୍କ ରକ୍ତ ଶୋଷି ବଞ୍ଚିଥିବା ଟିଙ୍କ ଜରିଆରେ ହିଁ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଛି।
ଏହି ନୂଆ ଭୂତାଣୁ ଯୋଗୁ ୭ ଜଣଙ୍କ ଜୀବନ ଯାଥିବା ବେଳେ ୬୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ପୂର୍ବ ଚାଇନାର ଜିଆଙ୍ଗସୁ ଓ ଅନହୁଇ ପ୍ରଦେଶରେ ହିଁ ଏହି ଭାଇରସ ବ୍ୟାପୁଥିବା ଜଣାପଡ଼ିଛି। ଏହି ରୋଗ ଟିଙ୍କ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରି ଲୋକଙ୍କ ଜୀବନ ନେଉଛି।
ଟିଙ୍କ ସାଧାରଣତଃ ୮୩ ପ୍ରକାରର ଭାଇରସ ବା ଭୂତାଣୁକୁ ନିଜ ଦେହରେ ନେଇ ବୁଲିଥାଆନ୍ତି। ଏହା ମଧ୍ୟରୁ ବୁନିୟା ଭାଇରସ ଅନ୍ୟତମ। ବର୍ତ୍ତମାନ ଚାଇନାରେ ଟିଙ୍କ ଦ୍ୱାରା ବୁନିୟା ଭାଇରସ ବ୍ୟାପୁଥିବାର ସାମ୍ନାକୁ ଆସିଛି।
ପ୍ରାଥମିକ ଅବସ୍ଥାରେ ଚାଇନାରେ ପ୍ରାଣ ହରାଇଥିବା ୭ ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ଥିବା କୁହାଯାଇଥିଲା। କିନ୍ତୁ ଶେଷରେ ୭ ଜଣ ଲୋକ ଟିଙ୍କବାହୀ ବୁନିୟା ଭାଇରସ ଦ୍ୱାରା ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ବୁନିୟା ଭାଇରସରେ ଆକ୍ରାନ୍ତ ଲୋକମାନେ Severe Fever with Thrombocytopenia Syndrome ପାଇଁ ପ୍ରାଣ ହରାଇଛନ୍ତି। ଜଣେ ସୁସ୍ଥ ଲୋକଙ୍କୁ ଟିଙ୍କ କାମୁଡ଼ିବା ପରେ ଏହି ରୋଗ ହୋଇଥାଏ। ଏହାପରେ ଏହା ଜଣେ ବ୍ୟକ୍ତିଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ସଂକ୍ରମଣ ହେବାର ଭୟ ରହିଛି।
ଟିଙ୍କ ହେଉଛି ଗୋଟିଏ ରକ୍ତ ଶୋଷିବାର କ୍ଷମତା ରଖିଥିବା ପୋକ। ଏହା ମଣିଷ ବ୍ୟତୀତ ବିଭିନ୍ନ ପଶୁପକ୍ଷୀଙ୍କ ଶରୀରରୁ ମଧ୍ୟ ରକ୍ତ ଶୋଷି ନେଇଥାଏ। ଏମାନେ ସାଧାରଣତଃ ବୁଦା, ଘାସ ଓ ଜଙ୍ଗଲିଆ ଅଞ୍ଚଳରେ ଦେଖାଯାଆନ୍ତି। ଏହି ୮ ଗୋଡ଼ିଆ ପୋକକୁ ବୁଢ଼ିଆଣୀ ସହ ମଧ୍ୟ ତୁଳନା କରାଯାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟିଙ୍କଗୁଡ଼ିକ ବିନା ରକ୍ତରେ ମଧ୍ୟ ଦୀର୍ଘ ବର୍ଷ ଧରି ବଞ୍ଚି ରହିବାର କ୍ଷମତା ରଖିଛନ୍ତି। Severe Fever with Thrombocytopenia Syndrome ଏମିତି ଏକ ରୋଗ ଯାହାର ପ୍ରଥମ କେସ ୨୦୦୯ରେ ଚାଇନାର ହେନାନ ଓ ପୂର୍ବ ଚାଇନାର ଅନହୁଇ ପ୍ରଦେଶରେ ଦେଖାଯାଇଥିଲା।
୨୦୧୧ରୁ ୨୦୧୬ ମଧ୍ୟରେ ୫୩୬୦ଟି ଲ୍ୟାବରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା ଯେ Severe Fever with Thrombocytopenia Syndrome ଚାଇନାରେ ହିଁ ଦେଖାଯାଇଛି। ୪୦ରୁ ୮୦ ବର୍ଷ ବୟସର ଲୋକଙ୍କୁ Severe Fever with Thrombocytopenia Syndrome ରୋଗ ହୋଇଥାଏ।
ଟିଙ୍କ ବାହୀ ଭାଇରସରେ ଆକ୍ରାନ୍ତ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୦% ଲୋକଙ୍କ ମୃତ୍ୟୁ ହୋଇଥାଏ। ଟିଙ୍କ ବାହୀ ଭାଇରସର ଲକ୍ଷଣ ଗୁଡ଼ିକ ହେଲା ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା, ଗୋଡ଼ହାତ ବିନ୍ଧିବା ଓ ଦେହରେ ବିଭିନ୍ନ ସ୍ଥାନରେ ଦାଗ ସୃଷ୍ଟି ହେବା। ସେହିପରି ଟିଙ୍କ ଦ୍ୱାରା ପାରାଲିସିସ୍ ହେବାର ଆଶଙ୍କା ରହିଛି। ଏବେ ସୁଦ୍ଧା ଟିଙ୍କ ବାହୀ Severe Fever with Thrombocytopenia Syndrome ପାଇଁ କୌଣସି ଟିକା ବାହାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।