ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ କେତେ ଟଙ୍କା ପାଇବେ ହ୍ୟାଙ୍ଗମ୍ୟାନ

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ଏହି କାର୍ଯ୍ୟକୁ ସମ୍ପାଦନ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ ମୀରଟର ହ୍ୟାଙ୍ଗମ୍ୟାନ ପବନ ଜହ୍ଲାଦଙ୍କୁ ଦାୟିତ୍ୱ ଦେଇଛନ୍ତି। ଗତକାଲି ତିହାର ଜେଲର ଏକ ଟିମ୍‌ ମୀରଟ ଯାଇ ପବନଙ୍କୁ ନୂଆଦିଲ୍ଲୀ ଆଣିଛନ୍ତି।

ମୀରଟରୁ ପବନ ଆସିବା ବେଳେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲା। ଆଜି ପବନ ଦ୍ୱାରା ଡମି ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ପବନ ଡମି ଫାଶୀକୁ କାର୍ଯ୍ୟକାରୀ କଲା ବେଳେ ପିଡବ୍ଲୁଡିର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଫାଶୀ ହେବାକୁ ଥିବା ପ୍ରକୋଷ୍ଠ ନିକଟ ଜେଲ ନଂ୩ରେ ହ୍ୟାଙ୍ଗମ୍ୟାନ ପବନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବାରାକ ନିର୍ମାଣ କରାଯାଇଛି। ତେବେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପବନଙ୍କୁ କେତେ ଟଙ୍କା ମିଳିବ, ତା’କୁ ନେଇ ଚାରିଆଡ଼େ ଚର୍ଚ୍ଚା।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ପବନଙ୍କୁ ପ୍ରତି ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ୨୦ ହଜାର ଟଙ୍କା ଲେଖାଏ ମିଳବ। ଅର୍ଥାତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପବନଙ୍କୁ ୮୦ ହଜାର ଟଙ୍କା ମିଳିବ। ପୂର୍ବରୁ ପବନ ଷ୍ଟାଇପେଣ୍ଡ ବାବଦରେ ୩ ହଜାର ଟଙ୍କା ଲେଖାଏ ମାସିକ ପାଉଥିଲେ। ହେଲେ ଏହା ମଧ୍ୟ ତାଙ୍କୁ ଠିକ ସମୟରେ ମିଳୁ ନଥିଲା। ଏହି କାରଣରୁ ସେ ୨୦୧୫ରେ ଦରମା ପାଇଁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦୌଡ଼ୁଥିବା ଖବର ମିଳିଥିଲା।

ଅନ୍ୟପକ୍ଷରେ ଜେଲ କର୍ତ୍ତୃପକ୍ଷ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଅନ୍ୟପଟେ ଏହାକୁ ଟାଳିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଆବେଦନ କରି ଚାଲିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।