ତିହାର ଜେଲକୁ ଆସିଲା ବିନୟ, କ’ଣ ଏବେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଯେ କୌଣସି ମୁହୂର୍ତ୍ତରେ ଫାଶୀ ଖୁଣ୍ଟରେ ଝୁଲା ଯାଇପାରେ। ଏଥିପାଇଁ ଧୀରଧୀରେ ପଥ ପରିଷ୍କାର ହେବାରେ ଲାଗିଛି। ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାଙ୍କୁ ଗତକାଲି ବିଳମ୍ବିତ ରାତିରେ ମାଣ୍ଡାଉଲି ଜେଲରୁ ତିହାର ଜେଲକୁ ଅଣାଯାଇଛି।

ଏହି ଘଟଣାର କିଛି ଦିନ ପୂର୍ବରୁ ବିନୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିବା ରାଜକ୍ଷମା ଆବେଦନକୁ ପ୍ରତ୍ୟାହାର କରିବାକୁ ଚାହୁଁଥିବା ଚିଠି ଜରିଆରେ ଜଣାଇଥିଲା। ଏଥିସହ ସେ ରାଜକ୍ଷମା ସଂକ୍ରାନ୍ତ ଦସ୍ତାବିଜ ଉପରେ ଦସ୍ତଖତ କରି ନଥିବା ମଧ୍ୟ କହିଥିଲା।

ଗତ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ବିନୟ ଲେଖିଥିବା ଚିଠିରେ କହିଥିଲେ ଯେ ମୁଁ ରାଜକ୍ଷମା ଆବେଦନକୁ ଖାରଜ କରିବାକୁ ନିବେଦନ କରୁଛି। ଏଥିସହ ପୂର୍ବରୁ ଯେଉଁ ରାଜକ୍ଷମା ଆବେଦନ ଫାଇଲ ପଠା ଯାଇଥିଲା ସେଥିରେ ମୁଁ ଏକମତ ନଥିଲି। ମୋ ବିନା ଅନୁମତିରେ ହିଁ ଫାଇଲଟିକୁ ପଠା ଯାଇଥିଲା।”

ବିନୟ ଏଭଳି ଚିଠି ଲେଖିବା ପରେ ତା’କୁ ତିହାର ଜେଲ ଅଣାଯାଇଛି। ଏଠାରେ ପୂର୍ବରୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ଠାକୁର, ମୁକେଶ ସିଂହ ଓ ପୱନ ଗୁପ୍ତା ରହିଛନ୍ତି। ତେଣୁ ସମସ୍ତଙ୍କୁ ଖୁବଶୀଘ୍ର ଫାଶୀ ଦିଆଯିବ ବୋଲି କୁହାଯାଉଛି।

୨୦୧୨ ଡିସେମ୍ବର ୧୬ ରାତିରେ ଦିଲ୍ଲୀର ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଚଳନ୍ତା ବସରେ ୬ ଜଣ ଭୟଙ୍କୟ ଭାବେ ଗଣଦୁଷ୍କର୍ମ କରିବା ସହ ରାସ୍ତାରେ ଫୋପାଡ଼ି ଚାଲି ଯାଇଥିଲେ।

ପୀଡ଼ିତା ଜଣଙ୍କ ୨୯ ତାରିଖରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ସମସ୍ତ ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଥିବା ନାବାଳକ ଜଣଙ୍କ ୩ ବର୍ଷର ଜେଲଦଣ୍ଡ ପରେ ମୁକ୍ତି ପାଇଛି। ସେହିପରି ରାମ ସିଂହ ନାମକ ଜଣେ ବ୍ୟକ୍ତି ଜେଲରେ ଆତ୍ମହତ୍ୟା କରି ଜୀବନ ଦେଇଛି। ଏବେ ଏହି ୪ ଜଣ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।