ଅର୍ଥନୈତିକ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର: ନୀତି ଆୟୋଗ ବୈଠକରେ ବ୍ଲୁ-ପ୍ରିଣ୍ଟ ରଖିଲେ ମୋଦି, ଗଲେନି ନବୀନ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରି କରିଥିବା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏପରି ଫର୍ମୁଲାକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।
ରାଷ୍ଟ୍ରପତି ଭବନରେ ଆୟୋଜିତ ନୀତି ଆୟୋଗ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,“ଦେଶର ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚାଇବା ଏବେ ବଡ଼ ଚ୍ୟାଲେଞ୍ଜ ହେବ। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ଆବଶ୍ୟକତା ରହିଛି। ଏହାଛଡ଼ା ଚାଷୀଙ୍କ ଆୟ ଦୁଇଗୁଣା କରିବା, ଆୟୁଷ୍ମାନ ଭାରତ, ଆକାଂକ୍ଷା ଜିଲ୍ଲାମାନଙ୍କର ବିକାଶ, ପୋଷଣ ମିଶନ, ମିଶନ୍ ଇନ୍ଦ୍ରଧନୁଷ ଓ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ୨ ୦୨୨ ସୁଦ୍ଧା ‘ନ୍ୟୁ ଇଣ୍ଡିଆ’ ସ୍ୱପ୍ନ ପୂରଣ ପାଇଁ ଏସବୁ ଦିଗରେ କାର୍ଯ୍ୟ କରାଯିବା ଦରକାର। ସଂଘୀୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ଜଟିଳ ପ୍ରସଙ୍ଗ ଗୁଡ଼ିକ ସମାଧାନ ଲାଗି ପରିଷଦ, ଟିମ୍ ଇଣ୍ଡିଆ ସ୍ପିରିଟ୍ରେ କାମ କରୁଛି।”
ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ମତାମତ ଦେଇଥିଲେ। ହେଲେ ଅନୁପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଓଡ଼ିଶା ପୂର୍ବରୁ ଲିଖିତ ଭାବେ ନିଜ ଆଭିମୁଖ୍ୟ ଜଣାଇଥିଲା।
ଏପରି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି,“ସାମ୍ବିଧାନିକ ଦାୟିତ୍ୱ ଭୁଲି ଦଳୀୟ ଦାୟିତ୍ୱ ପ୍ରତି ନବୀନ ଅଧିକ ଧ୍ୟାନ ଦେଉଛନ୍ତି। ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ମୁଖ୍ୟମନ୍ତ୍ରୀ ଯଦି ନୀତି ଆୟୋଗ ବୈଠକକୁ ଯିବେନି, ତାହାହେଲେ କେଉଁ ଫୋରପ୍ରେ ରାଜ୍ୟ କଥା ଉଠାଇବେ? ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କ ନୀତି ସ୍ପଷ୍ଟ ନୁହଁ।”
ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି-“ନୀତି ଆୟୋଗ ଏକ ସାମ୍ୱିଧାନିକ ବ୍ୟବସ୍ଥା ନୁହେଁ। ଜୁଏଲ ବାବୁଙ୍କ ଏପରି ଟିପ୍ପଣୀରୁ ରାଜନୈତିକ ବାସ୍ନା ଆସୁଛି। ଏଜେଣ୍ଡା ଉପରେ ଯାହା କୁହାଯାଇଛି, ତାହା ଲିଖିତ ଆକାରରେ ଦିଆଯାଇଛି।”
ନୀତି ଆୟୋଗ ବୈଠକକୁ ନଯାଇ ଲିଖିତ ଭାବେ ରାଜ୍ୟର ଦାବି ପଠାଇଛନ୍ତି। ତେବେ ଏହା ଉପରେ ଆଲୋଚନା ହୋଇଛି ନା ନାହିଁ ଓ ଏହା କେତେ ଗ୍ରହଣୀୟ ହେବ ତା’ଉପରେ ସମସ୍ତଙ୍କ ନଜର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।