କରୋନା ପାଇଁ ମନ୍ତ୍ରୀଙ୍କୁ ବିଦେଶ ମନା, ଲୋକଙ୍କୁ ବି ଏମିତି ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ମଧ୍ୟ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏଯାଏ ଭାରତରେ ୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀମାନଙ୍କୁ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବିଦେଶ ଗସ୍ତରେ ନ ଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶ ଗସ୍ତରେ ଗଲେ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୋଦି ଏଭଳି କହିଛନ୍ତି। ସେହିପରି ଲୋକଙ୍କୁ ମଧ୍ୟ ବିଦେଶ ଗସ୍ତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, “ଆତଙ୍କିତ ହୁଅନ୍ତୁ ନାହିଁ। କିନ୍ତୁ କରୋନା ପାଇଁ ଅଧିକ ସତର୍କ ରୁହୁନ୍ତୁ ଓ ପ୍ରତିଷେଧକ ଗ୍ରହଣ କରନ୍ତୁ।

ଆଗାମୀ ଦିନରେ ଭାରତ ସରକାରଙ୍କ କୌଣସି ମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ। ମୁଁ ମୋର ଦେଶବାସୀଙ୍କୁ ମଧ୍ୟ ଅଯଥା ବିଦେଶ ଗସ୍ତ ନ କରିବାକୁ ନିବେଦନ କରୁଛି। ଆମେ ଅଯଥା ଏକାଠି ନ ହୋଇ କିମ୍ବା ଜନଗହଳୀପୂର୍ଣ୍ଣ ସ୍ଥାନକୁ ନ ଯାଇ କରୋନା ବ୍ୟାପିବାକୁ ଅଟକାଇ ପାରିବା। ପ୍ରତି ରାଜ୍ୟ କରୋନା ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କରୋନାକୁ ଅଟକାଇବା ପାଇଁ କାର୍ଯ୍ୟ କରୁଛନ୍ତି।”

ଅନ୍ୟପକ୍ଷରେ ଭାରତ ସରକାର ଏପ୍ରିଲ ୧୫ ଯାଏ ସମସ୍ତ ପ୍ରକାରର ଭିସାକୁ ରଦ୍ଦ କରିଛନ୍ତି। ସରକାର ଭିସା ରଦ୍ଦ କରିଥିଲେ ହେଁ କୂଟନୀତିକ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ, ଚାକିରି ଓ ପ୍ରୋଜେକ୍ଟ ସମ୍ପର୍କିତ ଭିସାକୁ ଏହି ନିୟମରୁ ବାଦ ଦିଆଯାଇଛି।

ଫେବୃଆରୀ ୧୫ ପରେ ଚାଇନା, ଇଟାଲୀ, ଇରାନ, କୋରିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀରୁ ଭାରତ ଆସିଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯାତ୍ରୀମାନେ ୧୪ ଦିନ ଯାଏ ଆଇସୋଲେସନରେ ରହିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।