ହିନ୍ଦୀ ବାଧ୍ୟତାମୂଳକ ନୁହେଁ, ବିବାଦ ପରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣି ସମଗ୍ର ଦେଶରେ ହିନ୍ଦୀ ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିବାକୁ କସ୍ତୁରୀରଙ୍ଗନ କମିଟି ଯେଉଁ ସୁପାରିସ କରିଥିଲେ, ତାକୁ ନେଇ ବିବାଦ ତୀବ୍ର ହେବାରୁ କେନ୍ଦ୍ର ସରକାର ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତି ଡ୍ରାଫ୍ଟରେ ଥିବା ଏଭଳି ବ୍ୟବସ୍ଥାକୁ ଦକ୍ଷିଣ ଭାରତରେ,ବିଶେଷ କରି ତାମିଲନାଡୁରେ ତୀବ୍ର ବିରୋଧ ହେବାରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପ୍ରସ୍ତାବିତ ଡ୍ରାଫ୍ଟରୁ ହିନ୍ଦୀକୁ ବାଧ୍ୟତାମୂଳକ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛି। […]

s

Hemant Lenka
  • Published: Monday, 03 June 2019
  • , Updated: 03 June 2019, 09:40 PM IST

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣି ସମଗ୍ର ଦେଶରେ ହିନ୍ଦୀ ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିବାକୁ କସ୍ତୁରୀରଙ୍ଗନ କମିଟି ଯେଉଁ ସୁପାରିସ କରିଥିଲେ, ତାକୁ ନେଇ ବିବାଦ ତୀବ୍ର ହେବାରୁ କେନ୍ଦ୍ର ସରକାର ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତି ଡ୍ରାଫ୍ଟରେ ଥିବା ଏଭଳି ବ୍ୟବସ୍ଥାକୁ ଦକ୍ଷିଣ ଭାରତରେ,ବିଶେଷ କରି ତାମିଲନାଡୁରେ ତୀବ୍ର ବିରୋଧ ହେବାରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପ୍ରସ୍ତାବିତ ଡ୍ରାଫ୍ଟରୁ ହିନ୍ଦୀକୁ ବାଧ୍ୟତାମୂଳକ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛି।

ଜାତୀୟ ଶିକ୍ଷା ନୀତି ଡ୍ରାଫ୍ଟରେ ଦେଶର ପ୍ରତ୍ୟେକ ସ୍କୁଲରେ ୩ ଭାଷା ଫର୍ମୁଲା ଲାଗୁ କରିବାକୁ ସୁପାରିସ କରାଯାଇ ଥିଲା। ଏଥିରେ ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ବାଧ୍ୟତାମୂଳକ କରାଯାଇଥିଲା। ଏହାକୁ ଦକ୍ଷିଣ ରାଜ୍ୟଗୁଡ଼ିକ ଘୋର ବିରୋଧ କରିଥିଲେ। ଏହା ଏକ ଡ୍ରାଫ୍ଟ ପ୍ରସ୍ତାବ ଓ ଏହାର ସବିଶେଷ ଆଲୋଚନା କରାଯାଇ ଆବଶ୍ୟକ ସଂଶୋଧନ ପରେ ଲାଗୁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜାଭେଡକର ଗତକାଲି ସ୍ପଷ୍ଟ କରିଥିଲେ। କିନ୍ତୁ ଏହିଁ ବିବାଦ ଥମିନଥିଲା। ତେଣୁ ଆଜି ସକାଳୁ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ଡ୍ରାଫ୍ଟରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି।

ଜଣେ ଛାତ୍ର ଆଞ୍ଚଳିକ ଭାଷା ବ୍ୟତୀତ ଇଂଲିଶ ଭାଷା ପଢ଼ିବେ। ତୃତୀୟ ଭାଷାକୁ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ଚୟନ କରିବେ। ଏହା ବାଧ୍ୟତାମୂଳକ ହେବନାହିଁ। ତୃତୀୟ ଭାଷା ଚୟନ ବେଳେ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲର ଶିକ୍ଷକମାନଙ୍କ ପରାମର୍ଶ ନେଇପାରିବେ। ଅର୍ଥାତ ସ୍କୁଲ ପକ୍ଷରୁ ଯେଉଁ ଭାଷାରେ ବେଶ ସହଜରେ ସହାୟତା ମିଳି ପାରିବ, ଛାତ୍ରଛାତ୍ରୀମାନେ ସେହି ଭାଷାରେ ପାଠ ପଢ଼ିପାରିବେ। ତେଣୁ ହିନ୍ଦୀ ଭାଷା କାହା ଉପରେ ଲଦି ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୋଦି-୨ ସରକାର କ୍ଷମତାକୁ ଆସିବା ପରେ କସ୍ତୁରୀରଙ୍ଗନ କମିଟି ପକ୍ଷରୁ ମାନବସମ୍ବଳ ମନ୍ତ୍ରଣାଳୟକୁ ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ପାଇଁ ଏକ ଡ୍ରାଫ୍ଟ ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଦେଶର ରାଜ୍ୟଗୁଡ଼ିକୁ ହିନ୍ଦୀ ଭାଷାଭାଷୀ ଓ ଅଣ ହିନ୍ଦୀ ଭାଷାଭାଷୀ ଭିତ୍ତିରେ ବିବେଚନା କରିବା ଠିକ୍‌ ନୁହେଁ। ଦକ୍ଷିଣ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଭାଷା ସହ ଇଂଲିଶ ପଢ଼ା ଯାଉଛି। ହେଲେ ଏବେଠାରୁ ସମଗ୍ର ଦେଶରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ଦରକାର ବୋଲି ଡ୍ରାଫ୍ଟ କମିଟି କହିଥିଲା।

ହେଲେ ଡ୍ରାଫ୍ଟ କମିଟିର ଏଭଳି ପ୍ରସ୍ତାବକୁ ତାମିଲନାଡୁରେ ତୀବ୍ର ବିରୋଧ କରାଯାଇଥିଲା। ସରକାର କାହା ଉପରେ ହିନ୍ଦୀ ଭାଷା ଲଦି ପାରିବେ ନାହିଁ ବୋଲି ବିଭିନ୍ନ ଦଳ ଓ ବର୍ଗର ଲୋକମାନେ ମତ ଦେଇଥିଲେ। ଏଭଳି ଡ୍ରାଫ୍ଟକୁ ତାମିଲନାଡୁର ବିରୋଧୀ ଦଳ ଡିଏମକେ ନେତା ଏମକେ ଷ୍ଟାଲିନ୍‌ ଜୋରଦାର ବିରୋଧ କରିଥିଲେ। ଏପରି କି ଏହି ଡ୍ରାଫ୍ଟକୁ ବିରୋଧ କରିବା ପାଇଁ ଡିଏମକେ ପକ୍ଷରୁ ଏକ ସଂକଳ୍ପ ମଧ୍ୟ ପାରିତ କରାଯାଇଥିଲା। କ୍ୟାବିନେଟ୍‌ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଏସ୍‌ ଜୟଶଙ୍କର ମଧ୍ୟ ପରୋକ୍ଷରେ ଏହାକୁ ବିରୋଧ କରିଥିଲେ।

କେନ୍ଦ୍ର ସରକାର ନୂଆ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ ହେଁ ଏହା ତାମିଲନାଡୁର ବିରୋଧୀ ଦଳ ଡିଏମକେକୁ ସନ୍ତୁଷ୍ଟ କରିପାରି ନାହିଁ। ଡିଏମକେ କହିଛି ଯେ, “ଆମେ ୩ ଫର୍ମୁଲା ବିଶିଷ୍ଟ ଯୋଜନାକୁ ବିରୋଧ କରୁଛୁ। ଏଥିରେ ହିନ୍ଦୀ ଥାଉ କି ନଥାଉ ଆମେ ଏହାକୁ ବିରୋଧ କରିବୁ। ଆମେ କେବଳ ୨ ଫର୍ମୁଲା ଭାଷାକୁ ଅନୁସରଣ କରିବୁ। ଯଦି କେନ୍ଦ୍ର ସରକାର ଏହାକୁ ବୁଝିବେ ନାହିଁ, ତା’ହେଲେ ଆମେ ନୂଆ ଶିକ୍ଷା ନୀତିକୁ ବୟକଟ କରିବୁ।” ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟ ବିଶେଷ କରି ତାମିଲନାଡୁରେ ଦୀର୍ଘ ବର୍ଷ ହେଲାଣି ହିନ୍ଦୀ ଭାଷା ବିରୋଧରେ ଆନ୍ଦୋଳନ ଚାଲିଛି। ପ୍ରଥମେ ୧୯୩୭ରୁ ୧୯୪୦ ଓ ଏହାପରେ ୧୯୬୫ରୁ ଏଭଳି ଆନ୍ଦୋଳନ ଆରମ୍ଭ ହୋଇଛି।

Related story