ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜିଶିଟ୍ ଅଭିଯୁକ୍ତ ପାଇବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇବା ଭୁଲ ନୁହେଁ। ୟୁପିଏ ସରକାର ବେଳେ ହୋଇଥିବା ଏହି ହେଲିକେପ୍ଟର ଘୋଟାଲାର ଅଭିଯୁକ୍ତ ବିଟ୍ରିଶ ନାଗରିକ ଖ୍ରୀଷ୍ଟିୟାନ ମିସେଲ, ଗଣମାଧ୍ୟମରେ ଚାର୍ଜଶିଟ୍ ଆଗୁଆ ଲିକ୍ ହୋଇଥିବା ନେଇ ଆପତ୍ତି ଉଠାଇଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବାବରେ କହିଛି ‘ଚାର୍ଜଶିଟ୍ ସାର୍ବଜନୀନ ଅଟେ। ଯଦି କୌଣସି ଗଣମାଧ୍ୟମ, ଅଭିଯୁକ୍ତ ଚାର୍ଜଶିଟ୍ ପାଇବା ପୂର୍ବରୁ ଡକ୍ୟୁମେଣ୍ଟ ନିଜସ୍ୱ ସୂତ୍ରରୁ ପାଇଯାଉଛି ତା'ହେଲେ ସେଥିରେ କୌଣସି ଭୁଲ ନାହିଁ’ ବୋଲି ଇଡ଼ି ସ୍ପଷ୍ଟୀକରଣ ରଖିଛି।
ଗତ ସପ୍ତାହରେ ଅଭିଯୁକ୍ତ ବ୍ରିଟିଶ ନାଗରିକ ମିଚେଲଙ୍କ ଓକିଲ ଚାର୍ଜଶିଟ୍ ଗଣମାଧ୍ୟମରେ ଆଗୁଆ ପାଇବା ପ୍ରସଙ୍ଗରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ଶୁଣାଣି ଏପ୍ରିଲ ୨୦ରେ କୋର୍ଟ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ନିକଟରେ ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିୟାନ ମିସେଲ ନାଁରେ ଇଡ଼ି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ଏହି ଭିଭିଆଇପି ହେଲିକେପ୍ଟର କିଣିବାରେ ବାୟୁସେନା ଅଧିକାରୀ, କଂଗ୍ରେସ ନେତା, ବ୍ୟୁରୋକ୍ରାଟ ଆଦି ସାମିଲ ଥିବା ଜଣାପଡ଼ିଛି।