ବ୍ରିଟେନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ରୂପ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଦ୍ୱାରା ଇତି ମଧ୍ୟରେ ଭାରତରେ ମୋଟ ୯୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି। ଶୁକ୍ରବାର ମଧ୍ୟପ୍ରଦେଶରେ ପ୍ରଥମଥର କରୋନାର ନୂଆ ରୂପରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି।

ଗତ ମାସରେ ଏହି ବ୍ୟକ୍ତି ଜଣଙ୍କ ବ୍ରିଟେନରୁ ଇନ୍ଦୋର ଆସିଥିଲେ। ଏବେ ସେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କର କୌଣସି ଲକ୍ଷଣ ଦେଖାଯାଉ ନଥିଲା। ସେହିପରି ମହାରାଷ୍ଟ୍ରରେ ଆଉ ୩ ଜଣ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେବା ପରେ ରାଜ୍ୟରେ ବ୍ରିଟେନ ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ସମସ୍ତ ୧୧ ସଂକ୍ରମିତଙ୍କର କୌଣସି ଲକ୍ଷଣ ନଥିଲା। ଜାନୁଆରୀ ୬ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୩ ଥିଲା। ହେଲେ ଆଜି ଏହି ସଂଖ୍ୟା ୯୦ରେ ପହଞ୍ଚି ଯାଇଛି।

କରୋନାର ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଛି। ତେଣୁ ଏହା ଉପରେ ବ୍ରେକ ଲଗାଇବାକୁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ବ୍ରିଟେନ ଭାରତରେ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବେଶ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରମାନଙ୍କୁ ସର୍ଭେଲାନ୍ସ, କଣ୍ଟେନମେଣ୍ଟ, ଟେଷ୍ଟିଂ ଓ ବ୍ରିଟେନ ଫେରନ୍ତାଙ୍କ ଜିନୋମ୍ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ନିୟମିତ ପରାମର୍ଶ ଦିଆଯାଉଛି। ଏଥିପାଇଁ ଆଦୌ ବିଚଳିତ ନ ହେବାକୁ ମନ୍ତ୍ରଣାଳୟ ସମସ୍ତଙ୍କୁ କହିଛି।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବ୍ରିଟେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଏହାପରେ ସମସ୍ତଙ୍କର ନମୁନାକୁ ଅଧିକ ଯାଞ୍ଚ କରିବା ପାଇଁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ପରେ ଏଯାଏ ୩୮ ଜଣ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପୂର୍ବରୁ ଦେଖାଯାଇଥିବା ଭାଇରସ ତୁଳନାରେ ଅଧିକ ୫୬% ବେଗରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

କରୋନାର ଏହି ନୂଆ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ଦେଖିବାକୁ ମିଳିଥିଲା। ଏହାପରେ ଏହା ୟୁରୋପର କିଛି ଦେଶ ସହ ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।