୨୫୧ କୋଟି ଜାଲିଆତିରେ ଧରାପଡ଼ିଲା ଓଡ଼ିଶାର ‘ସମ୍ବନ୍ଧ’

ମୁମ୍ବାଇ: ଓଡ଼ିଶାର ଗୋଟିଏ ମାଇକ୍ରୋ ଫାଇନାନ୍ସ ସଂସ୍ଥା ୨୫୧ କୋଟି ଟଙ୍କାର ଜାଲିଆତି କରି ଧରାପଡ଼ିଛି। ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିଃ(ଏସଏଫପିଏଲ) ଗୋଟିଏ ରେଟିଂ ଏଜେନ୍ସିକୁ ରିପେମେଣ୍ଟ କରିପାରି ନଥିଲା। ତା’ ବ୍ୟାଙ୍କ ଖାତାରେ ଜାଲିଆତି ହୋଇଥିବା ସେ ଦର୍ଶାଇଥିଲା। କମ୍ପାନୀ ଉପରେ ୪୩୩ କୋଟି ଟଙ୍କାର ଋଣ ରହିଥିବାରୁ ଏହାର ବୋର୍ଡ ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଆରମ୍ଭ କରିଛି।

ବୋର୍ଡକୁ କମ୍ପାନୀର ୪ ଜଣ କର୍ମଚାରୀ ଅକ୍ଟୋବର ୭ରେ ଚିଠି ଲେଖିଥିଲେ। ଏଥିରେ ସେମାନେ କହିଥିଲେ ଯେ କମ୍ପାନୀର ମୋଟ ସମ୍ପତ୍ତି ପ୍ରାୟ ୧୪୦ କୋଟି ଟଙ୍କା ହୋଇଥିବା ବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ଏହାକୁ ୩୯୧ କୋଟି ଟଙ୍କା ଦର୍ଶାଯାଇଛି। ଏହାର ଅର୍ଥ ୨୫୧ କୋଟି ଟଙ୍କାର ଜାଲିଆତି ହୋଇଛି। ସମ୍ବନ୍ଧକୁ ଇ-ମେଲ ଓ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପକ କିଣ୍ଡୋଙ୍କ ମତାମତ ଲୋଡ଼ା ଯାଇଥିଲେ ହେଁ ଏ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ।

କମ୍ପାନୀ ଋଣ ଆଣିଥିବା ୪୩୩ କୋଟି ଟଙ୍କା ମଧ୍ୟରୁ ୩୮୩ କୋଟି ଟଙ୍କା ବ୍ୟାଙ୍କରୁ ଆଣିଥିଲା। କମ୍ପାନୀକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ୟେସ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ନର୍ଥନ ଏଆରସି କ୍ୟାପିଟାଲ ଓ ସ୍ମଲ ଇଣ୍ଡଷ୍ଟ୍ରୀ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।